ଉଦ୍ଧାର ନବଜାତ ଶିଶୁପୁତ୍ରକୁ ଦମ୍ପତିଙ୍କଠାରୁ ନେଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

0 157

ପାଟଣାଗଡ଼ : କେସିଙ୍ଗା ରେଲୱେ ଷ୍ଟେସନରୁ ଦମ୍ପତିଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଏକ ନବଜାତ ଶିଶୁ ପୁତ୍ରକୁ ପୁଲିସର ସହାୟତା ନେଇ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନେଇଛି । ଶିଶୁ ପୁତ୍ରକୁ ନେବା ପରେ ବଲାଙ୍ଗୀର ଭୀମ ଭୋଇ ଏସଏନସିୟୁରେ ଚିକିତ୍ସା ପରେ ଶିଶୁ ପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସାମାଜିକ କର୍ମୀ ଅରୁଣ ଖୁଆସଙ୍କ ଠାରୁ ଜଣାପଡିଛି । ସୂଚନା ଅନୁସାରେ କେସିଙ୍ଗା ରେଳୱେ ଷ୍ଟେସନରେ ଥିବା ଏକ ନିର୍ଦ୍ଦିଷ୍ଟ ଟ୍ରେନବୋଗି ଭିତରେ ଗତ ୨୧ ତାରିଖ ସକାଳେ ଏକ ନବଜାତ ଶିଶୁ ପୁତ୍ର କାନ୍ଦୁଥିବାର ପାଟଣାଗଡ଼ ବ୍ଳକ ଭରତ ବାହାଲ ପଞ୍ଚାୟତ ଠେଲକୋଛାପର ଗାଁର ଦମ୍ପତି ଶୁଶିଲ ଦୀପ ଓ ତାଙ୍କ ସ୍ତ୍ରୀ ବାସନ୍ତୀ ଶଦ୍ଦ ଶୁଣିବାକୁ ପାଇଥିଲେ । ସେମାନେ ଟ୍ରେନ ଭିତରକୁ ଯାଇ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରି ନିଜ ଗାଁକୁ ଆଣି ଏଏନଏମଙ୍କ ଦ୍ୱାରା ଶିଶୁ ପୁତ୍ରର ନାଭିକୁ କଟାଇଥିଲେ । ସକାଳେ ଶିଶୁ ପୁତ୍ରର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା ପାଇଁ ସେମାନେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡ. ଟଙ୍କଧର ମେହେର ଓ ସୁଜିତ ସା ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଶିଶୁ ପୁତ୍ରଟିର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜାଣିପାରିଥିଲେ । ଏତତ୍‌ ବ୍ୟତୀତ ଏହି ନବଜାତ ଶିଶୁ ପୁତ୍ରଟି ଉକ୍ତ ଦମ୍ପତିଙ୍କର ନୁହେଁ ବୋଲି ଜାଣିବାକୁ ପାଇଥିଲେ । ପରେ ଏହି ଘଟଣା ଡ଼. ମେହେର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତା ଓ ପାଟଣାଗଡ଼ ସିଡିପିଓ ଅନୁପମା ପଣ୍ଡାଙ୍କ ସହ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ । ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜାଣି ଶିଶୁ ପୁତ୍ରକୁ ସାଙ୍ଗରେ ନେବାକୁ ଚେଷ୍ଟା କରିଥିଲେ । ଶିଶୁ ପୁତ୍ରକୁ କେସିଙ୍ଗା ରେଳୱେ ଷ୍ଟେସନରୁ ଉଦ୍ଧାର କରିଥିବା ଦମ୍ପତି କୌଣସି ପରିସ୍ଥିତିରେ ବି ଶିଶୁ ପୁତ୍ରକୁ ଛାଡିବାକୁ ଚାହୁଁନଥିଲେ । ଯାହାଫଳରେ ଶିଶୁ ସୁରକ୍ଷା ବିଭାଗର କର୍ମକର୍ତ୍ତା ମାନେ ଲରମ୍ଭା ପୁଲିସର ସହାୟତା ନେଇ ନବଜାତ ଶିଶୁ ପୁତ୍ରକୁ ନେବାରେ ସଫଳ ହୋଇଥିଲେ । ଶିଶୁକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନେବା ପରେ ଉକ୍ତ ଦମ୍ପତି ଭାଙ୍ଗି ପଡ଼ିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

8 + one =