ଘୁ ଉଦୟଗିରି: ଗରିବଙ୍କ ପାଇଁ ବରଦାନ ବିଜୁ ସ୍ୱାସ୍ଥ୍ୟ କାର୍ଡ । ଗରିବ,ଅସହାୟ ଲୋକଙ୍କୁ ହୃଦଘାତ ଭଳି ରୋଗ ହେଲେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ପାଖରେ ଅର୍ଥ ନଥାଏ କି ସମ୍ବଳ ନଥାଏ । ଯାହାପାଖରେ କିଛି ସମ୍ବଳ ଥାଏ ସେ ଧାର କରଜ ବନ୍ଧା ଛନ୍ଦା କରି ଚିକିତ୍ସିତ ହେଉଥିବା ଏବଂ ପରବର୍ତ୍ତୀ ସମୟରେ ଧାର ସୁଝିବା ପାଇଁ ପୁଣି ଧାର କରି ତଳିତଳାନ୍ତ ହେବାର ନଜିର ରହିଛି । କିନ୍ତୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ପରେ ବହୁ ଗରିବ ଅସହାୟ ପରିବାର ଏହି କାର୍ଡ ମାଧ୍ୟମରେ ଉପକୃତ ହେଉଥିବା ଦେଖିବାକୁ ମିଳୁଛି । ଏହିଭଳି ଜଣେ ଗରିବ ବ୍ୟକ୍ତି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରାଇକଲା ପଞ୍ଚାୟତର ଖାରିଆପଡ଼ା (ପାଙ୍ଗାନାଜୁ) ଗ୍ରାମର ୬୭ବର୍ଷୀୟ ପ୍ରଫୁଲ ନାୟକ ଯେ କି ପେଶାରେ ଜଣେ ବଢେଇ । ଖଟିଲେ ଖାଇବେ ନଚେତ ଭୋକରେ ରହିବେ । ପୁଣି ସବୁଦିନ କାମ ମିଳିବା କଷ୍ଟକର । କାମ ନଥିଲେ ନିଜ ଘରେ କିଛି କାମ କରନ୍ତି । ନିଜ ଘର ବାରିପଟେ କାଠ ଚିରୁଥିବା ବେଳେ ହଠାତ ଦେହରୁ ଝାଳ ବାହାରି ଅଚେତ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ଫୁଲବାଣୀ ରେଫର କରିଦେଇଥିଲେ,ସଠାରେ ମଧ୍ୟ ଡାକ୍ତର ବ୍ରହ୍ମପୁର ରେଫର କରିଦେଇଥିଲେ । ବ୍ରହ୍ମପୁରରେ ୫ଦିନ ଚିକିତ୍ସିତ ପରେ ହୃଦଘାତ ହୋଇଥିବା ଦର୍ଶାଇ ଭୁବନେଶ୍ୱର ପଠେଇ ଦେଇଥିଲେ । ପ୍ରଫୁଲଙ୍କ ଅବସ୍ଥା ଭଲନଥାଏ ଏପଟେ ପରିବାର ଲୋକ ବ୍ୟସ୍ତ ବିବ୍ରତ ହୋଇ ସଂଗେ ସଂଗେ ନିଜ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଦାଖଲ କରି ଚିକିତ୍ସିତ କରିବା ପାଇଁ ଚେଷ୍ଟା କଲେ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ଜାଣିବା ପରେ ନିରାଶ ହୋଇଥିଲେ, ହେଲେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ମାଗଣାରେ ଚିକିତ୍ସା ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରଫୁଲ । ପ୍ରଫୁଲ ନିଜ ପ୍ରତିକ୍ରିୟା ରେ କହିଛନ୍ତି ବିଜୁ ସ୍ୱାସ୍ଥ୍ୟ କାର୍ଡ ନଥିଲେ ମୁଁ ବଞ୍ଚି ପାରିନଥାନ୍ତି । ରାଜ୍ୟ ସରକାରଙ୍କୁ ଏବଂ ନବୀନ ବାବୁଙ୍କୁ ଧନ୍ୟବାଦ ଜଣେଇଛନ୍ତି ପ୍ରଫୁଲ ଏବଂ ତାଙ୍କ ପରିବାର ।