ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ

0 87

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ଶତାୟୁ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷ ଡ.ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧାରୀ ଗମାଙ୍ଗ, ସମ୍ମାନିତ ଅତିଥିଭାବେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ପ୍ରଫେସର ଡ. ଜୟନ୍ତ କୁମାର ମହାପାତ୍ର ମଞ୍ଚାସୀନ ଥିଲେ । ଏହି ବୈଠକରେ ମୁଖ୍ୟତଃ ମହାବିଦ୍ୟାଳୟରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରିବା ସହ ମହାବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଓଡିଶା ପାଇଁ ଅବଦାନ ଆଦି ସମ୍ପର୍କରେ ଅତିଥିଗଣ ବକ୍ତବ୍ୟ ରଖିଥିଲେ । ଏହି ପରିପ୍ରେକ୍ଷୀରେ ଏହି ମହାବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିବା ବେଳେ ଉକ୍ତ ମହାବିଦ୍ୟାଳୟକୁ କିପରି ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିବ ସେନେଇ ବିଶେଷ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଅମୂଲ୍ୟ କୁମାର ପାଣିଗ୍ରାହୀ ଅତିଥିଗଣଙ୍କୁ ମଞ୍ଚାସୀନ ନିମନ୍ତେ ନିମନ୍ତ୍ରଣ କରିଥିବା ବେଳେ ସ୍ୱାଗତ ସମ୍ଭାଷଣ ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରୀ ସଭାପତି ଏମ୍‌ଡି. ନାସିର ବେଗ ପ୍ରଦାନ କରିଥିଲେ । ସମ୍ପାଦକୀୟ ବିବରଣୀ ଡ. ଶଙ୍କର ପ୍ରସାଦ ବକ୍ସି ପଠନ କରିଥିବା ବେଳେ ଆଶାଲତା ପାଣିଗ୍ରାହୀ ବୈଠକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସଂସଦର ସମ୍ବିଧାନ ସଂଶୋଧନ ସହ ଆଗମୀ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଭାପତି ଭାବେ କଲେଜ ଅଧ୍ୟକ୍ଷ ତଥା ପୁରାତନ ଛାତ୍ର ଅଜୟ କୁମାର ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଭାବେ ଏମ.ଡି ନାସିର ବେଗ, ଉପ ସଭାପତି ଭାବେ ଦୁଇ ଜଣ ଆଶଲତା ପାଣିଗ୍ରାହୀ ଓ ଆଦର୍ଶ ଦାସ, ସଂପାଦକ ଭାବେ ଶଙ୍କର ପ୍ରସାଦ ବକ୍ସି, ଯୁଗ୍ମ ସମ୍ପାଦକ ଭାବରେ ତିନି ଜଣ ସୁବାଷ ଜମାଦାର ଓ ବସନ୍ତ ପଣ୍ଡା ଓ ସନ୍ତୋଷିନି ପାଢୀ, କୋଷାଧ୍ୟକ୍ଷ ଭାବେ ଅଜିତ ପଟ୍ଟନାୟକ ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ୧୫ ଜଣ ନିର୍ବାଚିତ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ନିଜ ସହପାଠୀମାନଙ୍କ ସହ କଲେଜ ବେଳର ସ୍ମୁତି ବିନିମୟ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 1 =