କୋରକୁଣ୍ଡା: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାର ଗୋଗୁଣ୍ଡା ଗାଁ ନକ୍ସଲ ମୁକ୍ତ ହେବା ଆଡ଼କୁ ଆଗକୁ ବଢ଼ୁଛି। ଏହି ଗାଁରୁ ନକ୍ସଲ ସଂଗଠନ ସଙ୍ଗମ ଦଳର ପ୍ରାୟ ୨୯ ଜଣ ସଦସ୍ୟ ଗତକାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅପହଞ୍ଚ ଅଞ୍ଚଳରେ ପୁଲିସ ଶିବିର ଖୋଲିବା ପରେ, ନକ୍ସଲ ସଂଗଠନରେ କାମ କରୁଥିବା ନକ୍ସଲମାନେ ସେମାନଙ୍କ ମନ ପରିବର୍ତ୍ତନ କରିଛନ୍ତି। ଏସପି କିରଣ ଚଭନ କହିଛନ୍ତି ଯେ ନିକଟ ଭବିଷ୍ୟତରେ ବାକି ନକ୍ସଲମାନେ ମଧ୍ୟ ଆତ୍ମସମର୍ପଣ କରିବେ। ସମସ୍ତ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ସରକାରୀ ଯୋଜନା ଅନୁଯାୟୀ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଏସପି ଶ୍ରୀ ଚଭନ ସୂଚନା ଦେଇଛନ୍ତି।

ସେହିପରି ୧ କୋଟି ୪୫ ଲକ୍ଷ ଟଙ୍କା ଇନାମୀ ୫୨ ଜଣ ମାଓବାଦୀ ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଏସପିଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ସହ ୫୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ନେସନାଲ ପାର୍କ ଏରିଆ କମ୍ମିଟି ମାଓ ସଙ୍ଗଠନ ସହିତ ଏମାନେ ସକ୍ରିୟ ସଦସ୍ୟ ଥିଲେ। ଗତକାଲି ପୁଲିସର ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ଏମାନେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଵିଜାପୁର ଏସପି କହିଛନ୍ତି।
