ଆଜି ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ, ୪୦ ସମବାୟ ସମିତିର ୨୬୯ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା

0 318

ଦଶପଲ୍ଲା : ରାଜ୍ୟରେ ମୌସୁମୀ ସକ୍ରିୟ ଥିବାବେଳେ ସମବାୟ ନିର୍ବାଚନ ଗାଁ ରାଜନୀତିକୁ ଉଷ୍ମ କରିଛି । ଜିଲ୍ଲାରେ ୧୫୫ ସମବାୟ ସମିତି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୯ଟି ସମବାୟ ସମିତି ପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାର ନିର୍ବାଚନ ଆଜି ଅର୍ଥାତ ୧୯ ତାରିଖରେ ଅନୁଷ୍ଠିତ ହେଉଛି । ସେହିଭଳି ଭାବେ ହିତୀୟ ପର୍ଯ୍ୟାୟ ନିର୍ବାଚନ ଜୁନ୍‌ ୨୬ ତାରିଖରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୯୯ ସମବାୟ ସମିତିର ସଦସ୍ୟ ପଦରେ ନାମାଙ୍କନ, ଯାଞ୍ଚ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଅନେକ ପଦବୀରେ ବିନା ପ୍ରତିଦ୍ୱନ୍ଦିତାରେ ପ୍ରାର୍ଥୀ ବିଜୟୀ ହୋଇ ସାରିଥିବା ଜଣାଯାଇଛି । ବଳକା ୪୦ ସମବାୟ ସମିତିର ୨୬୯ ସଦସ୍ୟ ପଦବୀ ଆଜି ମତଦାନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ୨୬୯ ସଦସ୍ୟ ପଦବୀ ପାଇଁ ନିର୍ବାଚନ ମଇଦାନରେ ୫୪୩ ଜଣ ପ୍ରାର୍ଥୀ ରହିଛନ୍ତି । ଭୋଟ ଗ୍ରହଣ ପାଇଁ ସମବାୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୧୫ଟି ସମବାୟ ସମିତି ନିର୍ବାଚନ ପାଇଁ ବିଦ୍ୟାଳୟରେ ବ୍ୟବସ୍ଥା ହୋଇଥିବା ବେଳେ ୨୫ଟି ସମବାୟ ସମିତିର ଭୋଟ ଗ୍ରହଣ ଉକ୍ତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି । ଆଜି ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିବ । ଭୋଟ ଗ୍ରହଣ ସରିବା ପରେ ଉକ୍ତ ମତଦାନ କେନ୍ଦ୍ରରେ ଭୋଟ ଗଣତି କରାଯିବା ସହ ଘୋଷଣା କରାଯିବ ବୋଲି ନୟାଗଡ଼ ଜିଲ୍ଲା ସହକାରୀ ସମବାୟ ନିବନ୍ଧକ ହାଡିବନ୍ଧୁ ମହାକୁଡ ସୂଚନା ଦେଇଛନ୍ତି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଆବଶ୍ୟକ ସ୍ଥଳରେ ଅଧିକ ପୁଲିସ ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି । ଜିଲ୍ଲାରେ ସମବାୟ ସମିତି ବାଦ ରହିଥିବା ଅଣଶିଳ୍ପ ଏବଂ ଶିଳ୍ପ ସମିତି ଗୁଡିକରେ ବିନା ପ୍ରତିଦ୍ୱନ୍ଦିତାରେ ପ୍ରାର୍ଥୀ ବିଜୟୀ ହୋଇଥିବା ସୂଚନା ମିଳିଛି । ପଞ୍ଚାୟତ ଓ ପୌର ନିର୍ବାଚନ ପରେ ସମବାୟ ନିର୍ବାଚନ ବେଶ ଗୁରୁତ୍ୱ ବହନ କରୁଛି । ସଦସ୍ୟ ନିର୍ବାଚନ ସରିବା ପରେ ସମବାୟ ସମିତି ସଭାପତି ଏବଂ ବ୍ୟାଙ୍କ ଡାଇରେକ୍ଟର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ନୟାଗଡ଼ ଜିଲ୍ଲାରେ ୧୫ ଜଣ ବ୍ୟାଙ୍କ ଡାଇରେକ୍ଟର ନିର୍ବାଚିତ ହେବା ପରେ ସେମାନଙ୍କ ମଧ୍ୟରୁ ସଭାପତି ଏବଂ ଉପସଭାପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଚାଷୀଙ୍କ ସ୍ୱାର୍ଥ ଏବଂ ସୁବିଧା ପାଇଁ ସମବାୟ ବ୍ୟବସ୍ଥା ଜରୁରୀ ହୋଇଥିବା ବେଳେ ନିର୍ବାଚିତ ପ୍ରତିନିଧି ଚାଷୀଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ଜଣାଯାଇଛି । ସମବାୟ ସମିତି ଜରିଆରେ ଋଣ ଦେଣ ନେଣଠାରୁ ଆରମ୍ଭ କରି ଧାନ କିଣା, ସାର ବିକ୍ରି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଉଛି । ସମସ୍ତ ସମବାୟ ସମିତିରେ ଦୀର୍ଘଦିନ ଧରି ବୋର୍ଡ ନଥିବା କାରଣରୁ ବହୁ ଅନିୟମିତତା କାର୍ଯ୍ୟ ହେଉଥିଲା । ବୋର୍ଡ ଗଠନ ପରେ ଦୁର୍ନୀତି କମିବା ସହ ଚାଷୀଙ୍କ ଉନ୍ନତି ହେବ ବୋଲି ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

three + twenty =