ସୂଚନାଧିକାର କର୍ମୀ ଓ ତାଙ୍କ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ

0 461

hiring

ଖପ୍ରାଖୋଲ ( ୧/୮) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାଲୁଡୁଙ୍ଗୁରି ଗ୍ରାମର ସୂଚନାଧିକାର କର୍ମୀ କାଳିଆ ସାହୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଗତ ୩୦ ତାରିଖ ରାତି ୯ଟା ସମୟରେ ମରଣାନ୍ତକ ଆକ୍ରମଣ ହୋଇଥିବା ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଭାଲୁଡୁଙ୍ଗୁରି ଗ୍ରାମରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଜମି ଉନ୍ନତିକରଣ ନାମରେ ପଞ୍ଚୁୁଦେବ ସାହୁ ଏବଂ ତାଙ୍କ ବଡଭାଇ ଭରତ ସାହୁ, ବଡବାପା ସତ୍ୟନାରାୟଣ ସାହୁ, ପ୍ରକାଶ ସାହୁ ୫୦ହଜାର ଟଙ୍କା ଲେଖାଏଁ ଜମି ଉନ୍ନତିକରଣ ପାଇଁ ପାଇଥିଲେ । ସେହି କାର୍ଯ୍ୟ ଗୁଡିକୁ ଶ୍ରମିକ ମାନଙ୍କ ସାହାଯ୍ୟରେ କରିବା କଥା । ହେଲେ ସେମାନେ ଜେସିବି ମେସିନ ଲଗାଇ କାମ କରୁଥିଲେ । ଏ ନେଇ ସୂଚନା ଅଧିକାର କର୍ମୀ କାଳିଆ ସାହୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ଜାଣିବା ପରେ ଗ୍ରାମର କେତେକ ଲୋକ ଗୁରୁବାର ରାତି ୯ଟା ସମୟରେ କାଳିଆ ସାହୁଙ୍କ ଘରକୁ ଯାଇ ଆକ୍ରମଣ କରିଥିଲେ । ପ୍ରଥମେ କାଳିଆଙ୍କୁ ଲୁହା ଛଡରେ ତାଙ୍କ ବେକରେ ଆଘାତ କରିଥିଲେ । ଏହା ଦେଖି କାଳିଆଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି, ବଡଭାଇ ପିତବାସ, ଗଣେଶ ଏବଂ ପିତା ତପନେଶ୍ୱର ତାଙ୍କୁ ଉଦ୍ଧାର କରିବାକୁ ଆସିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ଗୁରୁତର ଅବସ୍ଥାରେ ସମସ୍ତ ଆହତଙ୍କୁ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପିତବାସ ଏବଂ ତପନେଶ୍ୱରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏ ନେଇ ଖପ୍ରାଖୋଲ ଥାନାରେ ଦଫା ୩୪୧, ୨୯୪, ୩୦୭, ୩୨୩, ୩୨୫, ୩୫୧ବି, ୫୦୬/୩୪ ଅନୁଯାୟୀ ଏକ ମାମଲା (ନଂ.୫୨/୨୦) ମାମଲା ରଜୁ କରି ୪ଜଣଙ୍କୁ ଖପ୍ରାଖୋଲ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି । ଉଲ୍ଲେଖଯୋଗ୍ୟ ଯେ, ସୂଚନାଧିକାର କର୍ମୀ କାଳିଆ ସାହୁ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତଥ୍ୟ ମାଗି ସେହି ଗ୍ରାମର ପଞ୍ଚୁୁଦେବ ସାହୁଙ୍କ ପରିବାରକୁ ୫ଟି ଆବାସ ଘର ମିଳିଥିବା ଖୁଲାସା କରିଥିଲେ । ଯାହାକି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ପରେ ପାଟଣାଗଡ ଉପଜିଲ୍ଲାପାଳ ଏହି ଘଟଣାରେ ତଦନ୍ତ କରି ଫାଇନ ଆଦାୟ କରିଥିଲେ । ଏହି ଘଟଣା ପାଇଁ ପୂର୍ବ ଶତ୍ରୁତା ରଖି ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରାଯାଇଥିବା କାଳିଆ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seven + 10 =