ଭିଜିଲାନ୍ସ ଜାଲରେ କିଆକଟା ଥାନା ଏଏସଆଇ

0 102

ବୌଦ୍ଧ: ବୌଦ୍ଧ ବସଷ୍ଟାଣ୍ଡ ଅନ୍ତର୍ଗତ ଏକ ଲସି ଦୋକାନରେ ଜଣେ ଲାଞ୍ଚୁଆ ପୋଲିସ ଅଧିକାରୀ ଲାଞ୍ଚ ନେଉଥିବାବେଳେ ଭିଜିଲାନସ ହାତରେ ଧରାପଡିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଜି ସକାଳ ୯ଟା ସମୟରେ ବୌଦ୍ଧ ବସଷ୍ଟାଣ୍ଡରେ । ପଚରା ଉଚରା ବେଳେ ଜଣାପଡିଥିଲା ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ-ଅନୁଗୁଳ ଜିଲ୍ଲା ସୀମାନ୍ତରେ ଥିବା କିଆକଟା ଥାନାର ଏଏସଆଇ ନବୀନ କୁମାର ଶତପଥୀ । ପ୍ରାପ୍ତ ଅଭିଯୋଗ ପ୍ରକାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବଡିଭିଜନ ଅନ୍ତର୍ଗତ ବେଲାଦୁଲା ଗ୍ରାମର ପଞ୍ଚାନନ ମେହେର ନାମକ ଜଣେ ବୁଣାକାର ସୋନପୁର ଜିଲ୍ଲା ସୁବଳୟା ଅଞ୍ଚଳର ଡୋଳାମଣୀ ମେହେର ନାମକ ଜନୈକ ମହାଜନଙ୍କ ଅଧୀନରେ ସହାୟତା ନେଇ କାମ କରୁଥିଲେ । ମାତ୍ର ସ୍ୱଳ୍ପ ପାରିଶ୍ରମିକ ମିଳୁଥିବା ଅଭିଯୋଗ କରି ସେ ତାଙ୍କ ଅଧୀନରେ କାମ କରିବାକୁ ମନା କରିଦେଇଥିଲେ । ତେବେ ଏଥିରେ ଉତକ୍ଷିପ୍ତ ହୋଇ ମହାଜନ ଡୋଳାମଣୀ କୁଆଡେ ପଞ୍ଚାନନ ମେହେରଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଫଳରେ ପ୍ରାୟ ଏକ ସପ୍ତାହ ହେଲା ପଞ୍ଚାନନ ଏବଂ ତାଙ୍କ ପରିବାରର ୧୧ଜଣ ସଦସ୍ୟ ଜୀବନ ଭୟରେ ଘରଦ୍ୱାର ଛାଡି ବରଗଡ ପଳାଇ ରହୁଥିଲେ । ଇତିମଧ୍ୟରେ ସେମାନେ ଅନୁଗୁଳ ଏସପିଙ୍କୁ ଭେଟି ସୁରକ୍ଷା ଓ ନ୍ୟାୟଭିକ୍ଷା କରିଥିଲେ । ଉକ୍ତ ଘଟଣାକୁ ବୁଝାବୁଝି କରି ସମାଧାନ କରିଦେବା ପାଇଁ ଥାନା ଏଏସଆଇ ନବୀନ ଶତପଥୀ ୨୦ହଜାର ଟଙ୍କା ଦାବି କରିଥିଲେ ଏବଂ ଅଗ୍ରୀମ ବାବଦକୁ ୨ହଜାର ଟଙ୍କା ନେଇଥିଲେ । ଏ ନେଇ ପଞ୍ଚାନନ ମେହେର ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ବକେୟା ୧୮ହଜାର ଟଙ୍କାରୁ ୮ହଜାର ଟଙ୍କା ଦେବାନେବା ସ୍ଥିର ହୋଇଥିଲା । ତେବେ ସତର୍କତା ଓ ସୁରକ୍ଷା ଦୃଷ୍ଟିରୁ ଶ୍ରୀ ଶତପଥୀ କିଆକଟା ଥାନା ବଦଳରେ ଟଙ୍କା ନେବାପାଇଁ ବୌଦ୍ଧ ବସଷ୍ଟାଣ୍ଡକୁ ଡାକିଥିଲେ । ହେଲେ ଟଙ୍କା ନେଉଥିବାବେଳେ ସେ ଭିଜିଲାନ୍ସ ଜାଲରେ ଫଶି ଯାଇଥିଲେ । ତାଙ୍କୁ ଗିରଫ କରିବା ପରେ ବୌଦ୍ଧ ବୁଟୁପାଲିସ୍ଥିତ ତାଙ୍କର ବାସଭବନରେ ମଧ୍ୟ ୫ଜଣିଆ ଭିଜିଲାନ୍ସ ଟିମ ଚଢାଉ ଜାରିରହିଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

four × 1 =