ଲୁଣିବାହାଲ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଶେଷ ଅଭିଯୋଗ ଜନ ଶୁଣାଣି, ୧୫୧ ଜଣଙ୍କ ଅଭିଯୋଗ ଶୁଣିଲେ

0 217

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ବୌଦ୍ଧ ଜିଲ୍ଲାପାଳଙ୍କ ଶେଷ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଆଉ ତିନି ଦିନ ପରେ ପ୍ରଶାସନିକ କାର୍ଯ୍ୟ କ୍ଷେତ୍ରରୁ ଅବସର ନେଉଥିବା ବେଳେ ସୋମବାର ଦିନ ଏହା ଥିଲା ତାଙ୍କର ଶେଷ ଅଭିଯୋଗ ଶୁଣାଣି । ଜିଲ୍ଲାପାଳଙ୍କର କାର୍ଯ୍ୟ କ୍ଷେତ୍ରକୁ ପ୍ରଶଂସା ସହ ନ୍ୟାୟ ପ୍ରଦାନର ସଂପୂର୍ଣ୍ଣ ଆଶା ଭରସାକୁ ପାଥେୟ କରି ଶିବିରରେ ଜିଲ୍ଲାର ତିନିଗୋଟି ବ୍ଲକର ଅଭିଯୋଗକାରି ସାମିଲ ହୋଇଥିଲେ । ସୁଦୂର କଣ୍ଟାମାଳ ବ୍ଲକ କଳତାପାଲି, ବୌଦ୍ଧ ବ୍ଲକ ବାଉଁଶୁଣୀ ଓ ବଘିଆପଡା ଓ ହରଭଙ୍ଗା ବ୍ଲକର ବିଭିନ୍ନ ଅନୁକୋଣରୁ ସମୁଦାୟ ୧୫୧ଜଣ ଅଭିଯୋଗକାରୀ ଅଭିଯୋଗ ପ୍ରଦାନ କରିଥିବା ଜଣାପଡିଛି । ଶିବିରରେ ରେଡ଼କ୍ରସ ପାଣ୍ଠିରୁ ୩୫ଜଣଙ୍କୁ ୨ଲକ୍ଷ ୪୦ହଜାର,୯ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ୩ଜଣକୁ ଟ୍ରାଏ ସାଇକେଲ,୨ଜଣକୁ ହୁଇଲ ଚେୟାର, ଜଣକୁ ଆଶାବାଡି ପ୍ରଦାନ କରାଯାଇଥିବା ବେଳେ ଆବାସ ଯୋଜନା, ବିଦ୍ୟୁତ ସେବା, ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ଘାଟ ଆଦି ସମସ୍ୟା ନେଇ ଆସିଥିବା ଅଭିଯୋଗର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏହି ଶିବିରରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଅତିତିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ରାଉତ, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧକାରୀ ରୀତାକାନ୍ତି ବଳିୟାରସିଂହ, ହରଭଙ୍ଗା ତହସିଲଦାର ସୁଶ୍ରୀ ଶିବାନୀ ଦାସ, ବିଡ଼ିଓ ସ୍ୱପ୍ନିତା ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିବା ବେଳେ ଜିପିଓ ଯତୀନ ମିଶ୍ର ଓ ଏସଇଓ ସୁନିଲ ମହାନ୍ତି ଶିବିରକୁ ପରିଚାଳନା କରିଥିଲେ । ଅଭିଯୋଗ ଶୁଣାଣି ପରେ ସେଠାରୁ ଜିଲାପାଳ ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ପରିଦର୍ଶନ ଯିବା ସହ ବ୍ଲକରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ସ୍ଥାନ ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ପରେ ଦେବଗଡ଼ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା, ଆବାସ ଗୃହ ଆଦି ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ ଏବଂ ଗ୍ରାମରେ ଅସମ୍ପୂର୍ଣ୍ଣ ଥିବା ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ତଦାରଖ କରିଥିଲେ ।

hiranchal ad1
Leave A Reply

Your email address will not be published.

one × five =