ଭାରି ସ୍ୱାଭିମାନୀ କନ୍ଧମାଳର ଋତୁଲି ମଳିକ

0 251

ବାଲିଗୁଡ଼ା: ଆଖିକୁ ଭଲ କରି ଦେଖା ଯାଉନି । ଚାଲିବାକୁ ଆଉ ଅଣ୍ଟାରେ ବଳ ନାହିଁ । ହାତର ଚମଡା ଗୁଡିକ ଶୁଖି ଗଲାଣି । ତଥାପି ରାସ୍ତା କଡ଼ରେ ପଡ଼ିଥିବା ଶାଳ ମଞ୍ଜି ଗୁଡ଼ିକ ସଂଗ୍ରହ କରିବାରେ ବ୍ୟସ୍ତ ଅଛନ୍ତି ଏହି ବୁଢ଼ୀ ମାଆ ଜଣକ । ନା ଟି ତାଙ୍କର ଋତୁଲି ମଳିକ । ଘର ତାଙ୍କର ବାଲିଗୁଡ଼ା ବ୍ଲକର ତଗାକିଆ ଗାଁରେ । ସ୍ୱାମୀ ଲିଙ୍ଗରାଜ ମଳିକ ଆରପାରିକୁ ଯିବାର ଅନେକ ବର୍ଷ ବିତି ଗଲାଣି । ତଥାପି ଆଜି ବି ଏହି ପରିଣତ ବୟସରେ ବେଶ କର୍ମଠ ଅଛନ୍ତି ୠତୁଲି ମଳିକ । ଘରେ ତାଙ୍କର ପୁଅ ଆଉ ନାତି ନାତୁଣୀ ଅଛନ୍ତି । ଅଭାବି ତେଲ ଲୁଣ ସଂସାରରେ ଚଳିବା ହେଇ ଯାଉଛି । ସଠିକ ବୟସ ଜଣା ନଥିଲେ ମଧ୍ୟ ତାଙ୍କୁ ୮୦ ବର୍ଷ ବୟସରୁ ଅଧିକ ହେବ ବୋଲି ପରିବାର ଲୋକେ କହୁଛନ୍ତି । ହେଲେ ଋତୁଲି ମଳିକ ଏତେ ସ୍ୱାଭାମାନି ଯେ, ନିଜ କାମ ନିଜେ କରିବାକୁ ପସନ୍ଦ କରନ୍ତି । ବଳ ବୟସ ସରିବାକୁ ବସିଲାଣି ତଥାପି ଏ ବୟସରେ ସେ ଟୋକେଇ ଖଣ୍ଡେ ଧରି ଗାଁ ନିକଟରେ ଲମ୍ବି ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ କଡରେ ପହଞ୍ଚି ଶାଳ ମଞ୍ଜି ଗୋଟାଇ ଘରକୁ ଆଣିଥାନ୍ତି । କେବଳ ଶାଳ ମଞ୍ଜି ନୁହେଁ ଗରା ସଂଗ୍ରହ କରି ଚୋପା ଛଡ଼ାଇବା ପର୍ଯ୍ୟନ୍ତ କାମ କରନ୍ତି । ଯେଉଁ ବୟସରେ ସେ ଘରେ ରହି ବିଶ୍ରାମ କରିବା କଥା, ସେହି ବୟସରେ କାମ କରିବା ପାଇଁ ପ୍ରବଳ ଆଗ୍ରହ ଦେଖାଇ ଥାନ୍ତି ବୁଢ଼ି ମା ଜଣକ । ପରିବାର ଲୋକେ ଯେତେ ଆକଟ କଲେ ମଧ୍ୟ ସେ କିନ୍ତୁ ଅନ୍ୟ ଲୋକଙ୍କ ଭଳି କାମ ହିଁ କରିଥାନ୍ତି । ଏ ବୟସରେ ସେ କାହିଁକି କାମ କରୁଛନ୍ତି ବୋଲି ପଚାରିଲେ ସେ କୁଇ ଭାଷାରେ କହନ୍ତି… ଘରେ ଖାଲିରେ ରହିବାକୁ ଇଚ୍ଛା ଲାଗୁନି, ଅନ୍ୟ ମାନଙ୍କ ଭଳି ମୋତେ କାମ କରିବାକୁ ଇଚ୍ଛା ହୁଏ, ଆଖିକୁ ଭଲରେ ଦେଖା ନଗଲେ ମଧ୍ୟ ଯାହା ପାରୁଛି, ସେ କାମ କରୁଛି । ତାଙ୍କର ଏଭଳି କର୍ମଠ ଜୀବନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି । ସରକାରଙ୍କ ତରଫରୁ ମାସିକ ପାଞ୍ଚଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଛି । ଏ ବୟସରେ କାମ କରୁଥିଲେ ମଧ୍ୟ ସେ କେବେବି ଅସୁସ୍ଥ ହେବା ଜାଣି ନାହାନ୍ତି ବୋଲି ତାଙ୍କର ବଡ଼ ପୁଅ କହିଛନ୍ତି । ୠତୁଲି ପରିଣତ ବୟସରେ କର୍ମଠ ରହିବା ଓ ଆତ୍ମ ସମ୍ମାନର ସହ ବଞ୍ଚିବା ଅନ୍ୟ ମାନଙ୍କ ପାଇଁ ଏହା ସବୁଠୁ ବଡ଼ ପ୍ରେରଣା ଅଟେ । ବୟସର ଅପରାହ୍ନରେ ଋତୁଲିଙ୍କ ଏଭଳି ସ୍ୱାଭିମାନୀ ଚିନ୍ତାଧାରା ସମସ୍ତଙ୍କୁ ଚକିତ କରିଛି ।

hiranchal ad1
Leave A Reply

Your email address will not be published.

sixteen + 8 =