ଫୁଲବାଣୀ ବିଦ୍ୟୁତ୍‌ ବିଭାଗ ଗୋଦାମର ଛଟେଇ ସୁରକ୍ଷା ଗାର୍ଡଙ୍କ
ପୁନଃ ଥଇଥାନ ଦାବିରେ ଧାରଣା

0 80

ଫୁଲବାଣୀ: କନ୍ଧମାଳ ଜିଲ୍ଲା ମୁଖ୍ୟାଳୟରେ ଥିବା ବିଦ୍ୟୁତ୍‌ ବିଭାଗର ବିଦ୍ୟୁତ୍‌ ସରଞ୍ଜାମର ଗୋଦାମରେ ଦୀର୍ଘ ବର୍ଷ ଧରି ନିରନ୍ତର କାର୍ଯ୍ୟ କରି ଆସୁଥିବା ସୁରକ୍ଷା ଗାର୍ଡ ମାନଙ୍କୁ ଛଟେଇ କରି ଦିଆଯାଇଛି । ସେମାନଙ୍କୁ ପୁନଃ ଥଇଥାନ ଦାବିରେ ଆଜି ସମସ୍ତ ଛଟେଇ ସୁରକ୍ଷା ଗାର୍ଡ ଭୀଷଣ ବର୍ଷାରେ ମଧ୍ୟ ଗୋଦାମ ଆଗରେ ଧାରଣାରେ ବସିଛନ୍ତି । ସେମାନଙ୍କ ଦାବି ଅନୁସାରେ ସେମାନେ ଫୁଲବାଣୀ ବିଦ୍ୟୁତ୍‌ ଡିଭିଜନ ଷ୍ଟୋରରେ ସିକ୍ୟୁରିଟି ଗାର୍ଡ ଭାବେ ଆଜିକୁ ପ୍ରାୟ ୨୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିଲେ । ସେମାନଙ୍କୁ ସେଥିପାଇଁ ଅତି କମ୍‌ ଦରମା ପ୍ରଦାନ କରାଯାଉଥିଲା । ତଥାପି ସେମାନେ ସେହି କମ ଦରମାରେ ନିଜ ନିଜର ପରିବାର ପ୍ରତିପୋଷଣ କରୁଥିଲେ ।ଏହା ମଧ୍ୟରେ ଏହି କାର୍ଯ୍ୟ ଦୁଇ ତିନିଟି ଠିକା ସଂସ୍ଥା ହାତକୁ ଯାଇଥିଲେ ହେଁ ସେହି ସଂସ୍ଥା ଏହି ସୁରକ୍ଷା ଗାର୍ଡ ମାନଙ୍କୁ ଛଟେଇ କରି ନଥିଲା । ସେମାନେ ମଧ୍ୟ ଠିକ୍‌ ଭାବରେ ଗୋଦାମର ସୁରକ୍ଷା ଦାୟିତ୍ୱ ତୁଲାଇ ଆସୁଥିଲେ । ହେଲେ ଆଜିଠାରୁ ସେଠାର ସୁରକ୍ଷା ପାଇଁ ନୂତନ ଠିକା ସଂସ୍ଥା ନେଇଛି । ଏହି ସଂସ୍ଥା ର ମାଲିକ ଏହି ସୁରକ୍ଷା ଗାର୍ଡ ମାନଙ୍କୁ ବୟସ ଅଧିକ ହୋଇଥିବା କହିବା ସହିତ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଶାରୀରିକ ଫିଟନେସ୍‌ ନ ଥିବା କହି ସେମାନଙ୍କୁ କାର୍ଯ୍ୟରୁ ଛଟେଇ କରି ଦେଇଥିବା କହିଛନ୍ତି ଛଟେଇ କର୍ମଚାରୀ ମାନେ । ତେଣୁ ଆଜିଠାରୁ ସୁରକ୍ଷା କର୍ମୀ କାର୍ଯ୍ୟରୁ ଛଟେଇ ହୋଇଥବା ସୀମାଞ୍ଚଳ ପଟ୍ଟନାୟକ, ଜଗନ୍ନାଥ ସାହୁ, ମନରଞ୍ଜନ ମୁଖି ଓ ସୁରେଶ ତରାଇ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଶାନ୍ତି ପୁର୍ଣ୍ଣ ଭାବରେ ଧାରଣାରେ ବସିଛନ୍ତି । ଏହି ସଂକ୍ରାନ୍ତରେ ବିଦ୍ୟୁତ୍‌ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଏହି ବାବଦରେ ଠିକା ସଂସ୍ଥା ହି କୌଣସି ନିଷ୍ପତ୍ତି ନେଇପାରିବ ବୋଲି କହିଛନ୍ତି । ତେବେ ଛଟେଇ ପୂର୍ବରୁ ସେମାନଙ୍କୁ କୌଣସି ପୂର୍ବ ସୂଚନା କରାଯାଇ ନାହିଁ କିମ୍ବା ସେମାନଙ୍କର ପ୍ରୋଭିଡେଣ୍ଟ ଫଣ୍ଡ ତଥା ଅନ୍ୟାନ୍ୟ ପ୍ରାପ୍ୟ ମଧ୍ୟ ପ୍ରଦାନ କରାଯାଇନାହିଁ । ଛଟେଇ ପରେ ସେମାନେ କିପରି ପରିବାର ପ୍ରତିପୋଷଣ କରିବେ ସେଥିପାଇଁ ସେମାନେ ଚିନ୍ତାରେ ଅଛନ୍ତି ବୋଲି ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 2 =