ଉତ୍ତରପ୍ରଦେଶରୁ ଆଳୁ ଆସିବା ପ୍ରକ୍ରିୟା ତ୍ୱରାନ୍ୱିତ:ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର

0 61

ଭୁବନେଶ୍ୱର:ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀ,ନାଫେଡ ଅଧିକାରୀ, ରାଜ୍ୟ ବ୍ୟବସାୟୀ ଓ ଶୀତଳ ଭଣ୍ଡାର ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ଉତ୍ତର ପ୍ରଦେଶରୁ ଧୀରେ ଧୀରେ ଆଳୁ ଆସିବା ପ୍ରକ୍ରିୟା ତ୍ୱାରନ୍ୱିତ ହୋଇଛି ଏବଂ ଏହା ଆଗାମୀ ଦିନରେ ବୃଦ୍ଧି ହେବ । ରାଜ୍ୟର ଅନେକ ସ୍ଥାନରେ ଉତ୍ତରପ୍ରଦେଶ ଆଳୁ ଉପଲବ୍ଧ ହେଉଛି । ଉତ୍ତରପ୍ରଦେଶରୁ ଆଳୁ ଭର୍ତ୍ତି ଟ୍ରକ ଗୁଡିକ ରାଜ୍ୟର ବିଭିନ୍ନ ବ୍ୟବସାୟିକ ସ୍ଥଳୀରେ ପହଞ୍ଚୁଥିବାରୁ ଉଭୟ ବ୍ୟବସାୟୀ ଓ ଖାଉଟି ମାନଙ୍କ ପାଇଁ ଆଶ୍ବସ୍ତି ଆଣି ଦେଇଥିବା ମନ୍ତ୍ରୀ କହିଛନ୍ତି । ଏହି ଆଳୁ ଉଚ୍ଚ ମାନଯୁକ୍ତ ଓ ଓଡିଶା ବଜାରକୁ ସୁହାଇବ। ଖାଉଟି ମାନଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ମନ୍ତ୍ରୀ ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ । ଆଳୁ ଯୋଗାଣକୁ ନେଇ ପଶ୍ଚିମବଙ୍ଗ ସରକାର ଅନେକ ସମୟରେ ଏଭଳି ମନମୁଖୀ କାର୍ଯ୍ୟ କରୁଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରୁଛନ୍ତି । ଏତଦବ୍ୟତୀତ ନା୍ଫେଡ ମାଧ୍ୟମରେ ଉତ୍ତରପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ ଆଳୁ ଆଣି ଓଡ଼ିଶାରେ ଉପଲବ୍ଧ କରେଇବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଏଥି ନିମନ୍ତେ ଗୋଦାମ ମାଲିକ ଓ ବ୍ୟବସାୟୀ ମାନେ ସହଯୋଗ କରିବାକୁ ବୈଠକରେ ପରମର୍ଶ ଦିଆଯାଇଛି ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ କହିଲେ ଯେ ଅନାବଶ୍ୟକ ଭାବେ ଦରଦାମ ବୃଦ୍ଧି କରୁଥିବା ଅସାଧୁ ବେପାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦରଦାମ ବୃଦ୍ଧି ନିୟନ୍ତ୍ରଣ ନେଇ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି ।
ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ମଧୁସୂଦନ ବେହେରା, ନା୍ଫେଡ ଓଡିଶା ମୁଖ୍ୟ ଅନିନ୍ଦିତା ଗୁହା, ବିଭାଗୀୟ ଉପ ନିର୍ଦ୍ଦେଶକ ଶ୍ରୀ ଦୀପକ ଶତପଥୀ, ଓଡିଶା ବ୍ୟବସାୟୀ ସଙ୍ଘ ମହାସଚିବ ଶ୍ରୀ ସୁଧାକର ପଣ୍ଡା, ରାଜ୍ୟ ଶୀତଳ ଭଣ୍ଡାର ସଙ୍ଘ ସଭାପତି ଶ୍ରୀ ରଞ୍ଜିତ କୁମାର ଵାଲା, ସାଧାରଣ ସମ୍ପାଦକ ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଯୋଗାଣ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seven − five =