ବହୁ ଚର୍ଚ୍ଚିତ ସୂଚନା କର୍ମୀ ହତ୍ୟା ମାମଲା, ୱାରେଣ୍ଟ୍ ବଳରେ ଦୁଇ ଗିରଫ

0 49

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବହୁ ଚର୍ଚ୍ଚିତ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ପୁଣି ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବାଲିଗୁଡ଼ା ପୋଲିସ୍ । ଘଟଣାରେ ସମ୍ପୃକ୍ତ ପାଞ୍ଚ ଜଣଙ୍କ ମଧ୍ୟରୁ ଏବେବି ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଉକ୍ତ ହତ୍ୟା ଘଟଣାରେ ଅଭିଯୁକ୍ତ ବାଲିଗୁଡ଼ାର ଶ୍ୟାମସୁନ୍ଦର ପାତ୍ର ଓ ବିଶ୍ୱନାଥ ପାତ୍ରଙ୍କୁ ଗିରଫ କରିଥିବା ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ଏହି ଘଟଣାର ଅନ୍ୟ ଅଭିଯୁକ୍ତ , ଗୋପାଳ ଚନ୍ଦ୍ର ପାତ୍ର, ରାମଚନ୍ଦ୍ର ପାତ୍ର ଓ ଅନ୍ନଦା ପ୍ରସାଦ ଆଚାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଜଣାପଡିଛି । ଓଡିଶା ଉଚ୍ଚ ନ୍ୟାୟାଳୟ ଅଭିଯୁକ୍ତ ଆନ୍ନଦା ପ୍ରସାଦ ଆଚାର୍ଯ୍ୟଙ୍କ ଜାମିନ୍ ଆବେଦନ ଖାରଜ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତ ୨୦୧୯ ଡିସେମ୍ବର ୧୦ ତାରିଖ ସକାଳେ ବାଲିଗୁଡା ଅଞ୍ଚଳର ଜଣାଶୁଣା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ତାଙ୍କ ଘର ସାମ୍ନାରେ ଠିଆ ହୋଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ଅଭିମନ୍ୟୁଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ପୁଲିସ ୧୮୮/୨୦୧୯ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡକୁ ଆସ୍କାରୁ ଗିରଫ କରାଯିବା ସହିତ ସମୁଦାୟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍ । ତେବେ ଉପରୋକ୍ତ ଅଭିଯୁକ୍ତ ମାନଙ୍କ ନାମ ଏତାଲାରେ ଥିଲେ ମଧ୍ୟ ପୁଲିସ ସେମାନଙ୍କ ନାମକୁ ଚାର୍ଜସିଟରୁ ବାଦ୍ ଦେଇଥିଲା । ପରେ ବ୍ରହ୍ମପୁର ସେସନ୍ସ ଜଜଙ୍କ ଅଦାଲତରେ ଘଟଣାର ଶୁଣାଣି ବେଳେ ସାକ୍ଷୀ ମାନଙ୍କ ବୟାନକୁ ନେଇ ହତ୍ୟା ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥିବା ଅନୁଭବ କରି ଏମାନଙ୍କୁ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କିନ୍ତୁ ଅଭିଯୁକ୍ତ ମାନେ ସମନ ସତ୍ତ୍ୱେ ଅଦାଲତରେ ହାଜର ହୋଇ ନଥିଲେ । ପରେ ଅଭିଯୁକ୍ତ ଆନ୍ନଦା ଉଚ୍ଚ ନ୍ୟାୟାଳୟରେ ଅଗ୍ରୀମ ଜାମିନ୍ ପାଇଁ ଆବେଦନ କରିଥିଲେ । ତେବେ ଉଚ୍ଚ ଅଦାଲତ ଏହାର ବିଚାର କରି ଆବେଦନ ଖାରଜ କରିଥିବା ଜଣାପଡିଛି । କୋର୍ଟର ଆଦେଶକୁ ଅବମାନନା କରିଥିବାରୁ ସେମାନଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା ଏବଂ ୱାରେଣ୍ଟ୍ ବଳରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଫେରାର ଥିବା ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ୍ ।

hiranchal ad1
Leave A Reply

Your email address will not be published.

11 + nineteen =