ନୂଆପଡ଼ା : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବୁଢାପଡା ଅପଗ୍ରେଡ଼ ହାଇସ୍କୁଲର ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ବୁଢାପରା ଗ୍ରାମର ରୁଦ୍ର ମାଧବ ଜଗତ ଓ ସବିତା ଜଗତଙ୍କ ପୁଅ କେଶବ ଜଗତ ଆଜି ବିଦ୍ୟାଳୟକୁ ପଢି ଯାଇଥିଲେ । ଖାଇବା ଛୁଟି ପରେ ସେ କିଛି ଛାତ୍ରଙ୍କ ସହ ନିକଟସ୍ଥ ଏକ ନାଳକୁ ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡି ଯାଇଥିଲେ । ସହପାଠୀ ମାନେ ଶିକ୍ଷକ ମାନଙ୍କୁ ଜଣାଇବା ପରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ ପିଲା ମାନଙ୍କୁ ନେଇ ନାଳକୁ ଯାଇଥିଲେ ଓ ନିଜେ ଉଦ୍ଧାର ନକରି ପିଲା ମାନଙ୍କୁ ଶବ ଉଦ୍ଧାର ପାଇଁ କହିଥିଲେ । ଖବର ପାଇ ପରିବାର ଲୋକେ କେଶବଙ୍କୁ ଖଡ଼ିଆଳ ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ଓ ଗ୍ରାମବାସୀ ଉତ୍ୟକ୍ତ ହୋଇ ସ୍କୁଲ ଘେରାଉ ସହ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଯୋଶୀ ଓ ସହକର୍ମୀଙ୍କୁ ତାଲା ବନ୍ଦ କରିବା ସହ ଖଡ଼ିଆଳ ବୋଡେ଼ନ ରାସ୍ତା ଅବରୋଧ କରିଛନ୍ତି । ଶିକ୍ଷକ ମାନଙ୍କ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହ ସେମାନଙ୍କୁ ନିଲମ୍ବନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ପରିବାର ଲୋକଙ୍କ କହିବା କଥା ହେଲା ଶିକ୍ଷକ ନିଜେ ଉଦ୍ଧାର କରିଥିଲେ କେଶବ ବଞ୍ଚି ଯାଇଥାନ୍ତା କିନ୍ତୁ ସେ ବ୍ରିଜ ଉପରେ ରହି ଅନ୍ୟ ଛାତ୍ରମାନଙ୍କୁ ପାଣିରେ ପଶି ଉଦ୍ଧାର ପାଇଁ କହିଥିଲେ । ଏବେ ବୋଡେ଼ନ ପୁଲିସ ପହଂଚି ବୁଝାସୁଝା କରୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣ ଶିକ୍ଷକ ଓ ଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରି ପାରି ନାହିଁ । ବର୍ତ୍ତମାନ ବୋଡେ଼ନ ତହସିଲଦାର ରାଜେଶ କୁମାର ମେହେର ମଧ୍ୟ ଲୋକଙ୍କ ସହ ଆଲୋଚନା କରୁଛନ୍ତି ।