ହରଭଙ୍ଗା :ବଦଳିଲା ସ୍ୱାସ୍ଥ୍ୟ କାର୍ଡ । ଆସନ୍ତା ୧୧ ତାରିଖରେ ଶୁଭାରମ୍ଭ ହେବାକୁ ଯାଉଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଦୁଇ ଦୁଇଟି ଲୋକାଭିମୁଖୀ ଯୋଜନା ଲାଭ ପାଇବେ ଓଡିଶା ବାସୀ । ଏନେଇ ସରକାରଙ୍କ ପକ୍ଷରୁ ସରିଛି ସମସ୍ତ ପ୍ରସ୍ତୁତି । ଏନେଇ ବୁଧବାର ଦିନ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ବ୍ଲକ ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁପରିଟେଣ୍ଡଣ୍ଟ ସଂଘମିତ୍ରା ପଣ୍ଡା ଯୋଗଦେଇ ଯୋଜନା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆସନ୍ତା ୧୧ତାରିଖ ବ୍ଲକର ପୁରୁଣାକଟକ କଲ୍ୟାଣ ମଣ୍ଡପ, ହରଭଙ୍ଗା ଖେଳ ପଡିଆ, ତଳଗାଁ କଲ୍ୟାଣ ମଣ୍ଡପ, ଧଳପୁର ଡାକ୍ତରଖାନା ପଡିଆ ପରିସରରେ ସରକାରଙ୍କ ଏହି ନୂତନ ସ୍ୱାସ୍ଥ୍ୟ କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରାଯିବ । ପ୍ରଥମ କିସ୍ତିରେ ପୁରୁଣାକଟକ କଲ୍ୟାଣ ମଣ୍ଡପ ଠାରେ ବନ୍ଧାପଥର, ସରସରା, ବାମଣ୍ଡା, ମଥୁରା, ରାଧାନଗର, ବିରନରସିଂହ ପୁର, ଲୁଣିବାହାଲ ପୁରୁଣାକଟକ, କରଞ୍ଜକଟା, ପିତାମ୍ଭର ପୁର, ଆଡେଣୀଗଡ଼, ବାଣୀଭୂଷଣପୁର ଗୋଟି ପଂଚାୟତର ୧୯୧୦ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ, ସେହିପରି ଧଳପୁରଠାରେ ଧଳପୁର ରାମଗଡ, ସାମ୍ପୋଚ ଓ ତିଲେଶ୍ୱର ପଂଚାୟତର ୫୩୨ଜଣ, ହରଭଙ୍ଗା ଠାରେ ହରଭଙ୍ଗା, କୁସଙ୍ଗ, ଛତ୍ରଙ୍ଗ ଓ ସଂକୁଲୋଇ ପଂଚାୟତର ୯୩୮ଜଣ ଏବଂ ତଳଗାଁ ଠାରେ ତଳଗାଁ ଓ ମହାଲିକପଡ଼ା ପଂଚାୟତର ୫୫୮ଜଣ ହିତାଧିକାରୀଙ୍କୁ ନୂତନ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ । ସବୁ ସ୍ଥାନରେ ଜନ ପ୍ରତିନିଧି ଉପସ୍ଥିତ ରହିବା ସହିତ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବେ । ଗୋଟିଏ ପରିବାରର ସମସ୍ତ ହିତାଧିକାରୀଙ୍କୁ କାର୍ଡ ଯୋଗାଇ ଦିଆଯିବ । ମହିଳା ଙ୍କୁ ୧୦ଲକ୍ଷ ଓ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ସ୍ୱାସ୍ଥ୍ୟ କାର୍ଡରେ ଚିକିତ୍ସା ସୁବିଧା ପାଇପାରିବେ । ଅନ୍ୟ ପଟେ ଆଗାମୀ ଦିନରେ ୭୦ବର୍ଷ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ବୟ ବନ୍ଧନ ଯୋଜନାରେ ସାମିଲ କରାଯିବ ପାଇଁ ନୂତନ ସରକାର ପଦକ୍ଷେପ ନେଇଛନ୍ତି ବୋଲି ସୂଚନା ମିଳିଛି । ସେଥିପାଇଁ ହରଭଙ୍ଗା ବ୍ଲକ ପ୍ରଶାସନ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଡେଣିଗଡ଼ ପକ୍ଷରୁ ଗ୍ରୀଷ୍ମ ପ୍ରଭାବକୁ ନେଇ ପ୍ରାଥମିକ ଚିକିତ୍ସା, ପାନୀୟ ଜଳ, ଗ୍ଲୋକଜ, ଖାଦ୍ୟ ର ବ୍ୟବସ୍ଥା କରାଯାଇଥିବା ଜଣା ପଡିଛି । ଆଜିର ଏହି ପ୍ରେସ ମିଟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଡେଣିଗଡ଼ ସ୍ୱାସ୍ଥ୍ୟ ଅଧିକାରୀ ଡା. ଶ୍ରୀବନ୍ତ ସ୍ୱାଇଁ, ବିଡ଼ିଓ ହରଭଙ୍ଗା ଶରତ କୁମାର ସେଠି ଉପସ୍ଥିତ ରହିଥିଲେ । ହିତାଧିକାରୀଙ୍କୁ ସୂଚନା ପାଇଁ ଆଶା, ସ୍ୱାସ୍ଥ୍ୟ କର୍ମୀ,ଏ ଏନ ଏମ ଓ ଅଙ୍ଗନବାଡି କର୍ମୀ, ଆଶା କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
