ମହାପ୍ରଭୁଙ୍କ ନବାଙ୍କ ବେଶ

0 76

ପୁରୀ : ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମକର ସଂକ୍ରାନ୍ତିର ସ୍ୱତନ୍ତ୍ର ନୀତିକାନ୍ତି । ଏହାର ପୂର୍ବଦିନ ଅର୍ଥାତ ଆଜି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ । ଆଜି ସନ୍ଧ୍ୟା ଆଳତି ବେଶରେ ମାଳଚୂଳମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁର ମାନଙ୍କୁ ଲାଗି କରାଯିବ । ଆଜି ବଡ଼ସିଂହାର ବେଶରେ ସୋଲ ଓ ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର,ହଳ,ମୁଷଳ,କୁଣ୍ଡଳ ଇତ୍ୟାଦି ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯିବ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ,ଚକ୍ର,ହଳ,ମୁଷଳ ଇତ୍ୟାଦି ଧାରଣ କରିବେ । ଏହି ବେଶ ନବାଙ୍କ ବେଶ ରୂପେ ପରିଚିତ । ନବାଙ୍କ ବେଶରେ ଠାକୁରମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଏ । ବଡ଼ସିଂହାର ବେଶରେ ଦେବତାମାନଙ୍କୁ ଅଳଙ୍କୃତ କରୁଥିବା ଚିତା, ଗୁଣା, କରପଲ୍ଲବ,ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ । ହୃଦ ପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲର ସମ୍ମିଶ୍ରଣ ଘଟିଥାଏ । ସାଧାରଣ ଦିନ ମାନଙ୍କରେ ଚତୁର୍ଦ୍ଧାବିଗ୍ରହଙ୍କ ଠାରେ ଚାରି ପାଞ୍ଚଟି ମାଳ ଲାଗୁଥିଲେ ମଧ୍ୟ ଆଜି ନବାଙ୍କ ବେଶରେ ଦିନ ଦଶ ପନ୍ଦରଟି ମାଳ ଲାଗି ହୋଇଥାଏ । ଏହି ଦିନ ଲାଗୁଥିବା ଶିର ଭୂଷଣ ଓ ଟୋପରଗୁଡିକ ତୁଳସୀପତ୍ରଦ୍ୱାରା ପ୍ରସ୍ତୁତ ହୋଇଥାଏ ଏବଂ ସେହି ଟୋପର ଉପରେ ଗେଣ୍ଡୁଫୁଲର ମାଳା ଗୁଡା ଯାଇଥାଏ । ନବାଙ୍କ ବେଶ ସହିତ ନବାଙ୍କ ବେଢାର ମଧ୍ୟ ତାତ୍ପର୍ଯ୍ୟ ରହିଛି । ଆଜି ବଡ଼ ସିଂହାର ଭୋଗ ପରେ ମଦନମୋହନ ଦକ୍ଷିଣ ଘରୁ ବିଜେ କରି ରତ୍ନସିଂହାସନକୁ ଆସନ୍ତି । ସେଠାରୁ ଆଜ୍ଞାମାଳ ପାଇ ରତ୍ନ ସିଂହାସନକୁ ସାଢେ ଚାରିଥର ପ୍ରଦକ୍ଷଣ କରି ବଟମୂଳେ ଥିବା ପାଲିଙ୍କିରେ ବିଜେ କରି ଦେଉଳ ଚାରିପାଖକୁ ସାଢେ ଚାରିଥର ପ୍ରଦକ୍ଷିଣ କରିଥାନ୍ତି । ଅନ୍ୟପଟେ ଗତ ମାସ ସଂକ୍ରାନ୍ତି ଦିନ ଠାରୁ ଦୀର୍ଘ ଏକମାସ ଧରି ଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧର୍ମପତ୍ନୀ ମହାଲକ୍ଷ୍ମୀ ଆଜି ତାଙ୍କ ବାପଘରୁ ଶ୍ରୀମନ୍ଦିରକୁ ଫେରିବାର ପରମ୍ପରା ରହିଥିବାରୁ ଏକମାସ ଧରି ଶ୍ରୀମନ୍ଦିରରେ ଚାଲିଥିବା ପହିଲି ଭୋଗ ନୀତିର ଆଜି ଅନ୍ତିମ ଦିବସ ବୋଲି କୁହାଯାଏ ।

hiranchal ad1
Leave A Reply

Your email address will not be published.

four × four =