ପୁରୀ : କଟକ ସ୍ଥିତ କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଆଜି ଦିନିକିଆ ପୁରୀ ଜିଲ୍ଲା ଗସ୍ତରେ ଆସି ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ପରେ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ବିଭାଗର ସମ୍ମାନ ବୃଦ୍ଧିରେ ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ସରକାରଙ୍କର ଏକ ପ୍ରମୁଖ ବିଭାଗ । ସରକାରଙ୍କ ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବା ସହ ଯୋଜନାଟି ଯେପରି ସାଧାରଣ ଲୋକଙ୍କ ହିତରେ ଲାଗି ପାରିବ ସେଥିପାଇଁ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ସଚେତନ କରାଇବା ଦ୍ୱାରା ହିତାଧିକାରୀଟି ତାହାର ସୁଫଳ ପାଇଥାଏ । ଏପରିକି ଲୋକ ମାନଙ୍କ ବିଭିନ୍ନ ଆବଶ୍ୟକତା ଓ ସମସ୍ୟାକୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇବା ମଧ୍ୟ ବିଭାଗର ଦାୟିତ୍ୱ ହୋଇ ଥାଏ । ଅର୍ଥାତ ଏହି ବିଭାଗ ସାଧାରଣ ଜନତା, ସରକାର ଓ ପ୍ରଶାସନ ସହ ଏକ ସେତୁ ଭଳି କାର୍ଯ୍ୟ କରିଥାଏ ବୋଲି ଶ୍ରୀ ନାୟକ କହି ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଗସ୍ତ ଓ ସମୀକ୍ଷା ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଘୁନାଥ ସେଠୀ , ସହକାରୀ ସୂଚନା ଅଧିକାରୀ ରାଜେନ୍ଦ୍ର ପାତ୍ର, ବରିଷ୍ଠ ରାଜସ୍ୱ ସହାୟକ ରାଜେନ୍ଦ୍ର କୁମାର ପାତ୍ର, ଅପରେଟର ପ୍ରସନ୍ନ କୁମାର ସାହୁ, ଗ୍ରନ୍ଥାଗାରିକ ମିନତୀ ଦାସ, କର୍ମଚାରୀ ପ୍ରଦୀପ କୁମାର ପଟ୍ଟନାୟକ, ପ୍ରତିମା ମହାନ୍ତି, ତ୍ରିନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।