ଟ୍ରକ୍‌ ତଳେ ଶୋଇଥିବା ବେଳେ ଉଡ଼ିଗଲା ଡ୍ରାଇଭରଙ୍କ ପ୍ରାଣବାୟୁ

0 66

ବାଲିଗୁଡ଼ା: ଟ୍ରକ୍‌ ତଳେ ଶୋଇଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନସ୍ଥ ବୁଢ଼ାନଈ ନିକଟରେ ଘଟିଛି ଏଭଳି ଘଟଣା ।
ଟ୍ରକର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଞ୍ଚ ଦିନ ହେବ ରାସ୍ତା କଡ଼ରେ ଗାଡ଼ି ରଖି ଜଗିଥିଲେ ଡ୍ରାଇଭର । ମୃତ ଟ୍ରକ୍‌ ଡ୍ରାଇଭର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଞ୍ଚଳର ଚିତ୍ତରଞ୍ଜନ ବସ୍ତିଆ ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଡ୍ରାଇଭର ଜଣକ ଟ୍ରକ୍‌ ନଂ – OD05Z 0306 ଟ୍ରକରେ ଏକ ଏଚ୍‌ ଡ଼ିଡ଼ି ମେସିନ୍‌ ନେଇ ପାରିଗଡ଼ରୁ ଫୁଲବାଣୀ ଅଭିମୁଖେ ଯାଉଥିବା ବେଳେ ବାଲିଗୁଡ଼ା ଥାନା ବୁଢ଼ାନଈ ନିକଟରେ ଟ୍ରକଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ମରାମତି କରିବାପାଇଁ ଗାଡ଼ି ଅଟକାଇ ଡ୍ରାଇଭର ଜଣକ ପାଞ୍ଚଦିନ ହେବ ରାସ୍ତା କଡ଼ରେ ଗାଡ଼ିକୁ ଜଗି ରହିଥିଲେ । ଆଜି ଅପରାହ୍ନରେ ଗାଡ଼ି ତଳେ ଶୋଇଥିବା ଡ୍ରାଇଭର ଦୀର୍ଘ ସମୟ ଧରି ନ ଉଠିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ଏନେଇ ବାଲିଗୁଡ଼ା ଥାନା ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଖବରପାଇ ଘଟଣାସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ୍‌ ପହଁଚି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ବ୍ୟବଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି । ତେବେ ସମ୍ପୃକ୍ତ ଡ୍ରାଇଭର ଜଣଙ୍କର ମୃତ୍ୟୁ କିଭଳି ଘଟିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

hiranchal ad1
Leave A Reply

Your email address will not be published.

seven − 1 =