ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଡଙ୍ଗରଭେଜା ଠାରେ ବ୍ଲକ ସ୍ତରୀୟ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ଲକର ୧୧ ଗୋଟି ପଞ୍ଚାୟତର ଜନସାଧାରଣ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିୟାନ୍ ଭିଡିଓ କନଫେରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହେଇଥିଲେ । ସମସ୍ତ ଗ୍ରାମର ରୂପାନ୍ତରିକରଣ, ସୌନ୍ଦର୍ଯ୍ୟକରଣ, ଶିକ୍ଷା, ସ୍ୱାସ୍ଥ୍ୟ , କ୍ରୀଡ଼ା ତଥା ସାମଗ୍ରିକ ବିକାଶ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖଏଁ ଅନୁଦାନ ଘୋଷଣା କରିଛନ୍ତି । ବ୍ଲକର ଏଗାର ଗୋଟି ପଞ୍ଚାୟତ ପାଇଁ ମୋଟ ୫ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବାର ସୂଚନା ଦେଇଥିଲେ । ବ୍ଲକର ବିକାଶ ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ, ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ, ବ୍ଲକ ଉପାଧ୍ୟକ୍ଷ ସଦନ ଗୌଡ଼, ଜିଲ୍ଲା ପରିଷଦ ସଭ୍ୟ ଜୋନ ନଂ-୧ ଦିବ୍ୟଦାନ ସୁନା , ଜୋନ ନଂ-୨ ସଭ୍ୟ ଅରୁଣ କୁମାର ମିଶ୍ର, ବିଧାୟକ ପ୍ରତିନିଧି ଦୟାନିଧି ବିଷୋୟୀ, ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହି ଥିବା ବେଳେ ଏଗାର ଗୋଟି ପଞ୍ଚାୟତର ଏଗାର ସରପଞ୍ଚ ମଧ୍ୟରୁ କେବଳ ଦୁଇ ଜଣ ସରପଞ୍ଚ ହିଁ ଯୋଗ ଦେଇଥିଲେ । ସରପଞ୍ଚମାନେ ସାମୁହିକଭାବେ ସହଯୋଗ ନକରିବା ସହ ଅନୁପସ୍ଥିତ ରହିବା ପାଇଁ ସରପଞ୍ଚ ମହାସଂଘର ନିର୍ଦ୍ଦେଶ ଥିଲା ବୋଲି ସରପଞ୍ଚ ମାନେ ମନ୍ତବ୍ୟ ରଖିଛନ୍ତି । ନିକଟ ଅତୀତରେ ସରପଞ୍ଚମାନେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସମସ୍ୟା ନେଇ ଧାରଣା ଦେଇଥିଲେ କିନ୍ତୁ ସରକାର କର୍ଣ୍ଣପାତ କରି ନଥିବା ଯୋଗୁଁ କାର୍ଯ୍ୟକ୍ରମ ସପକ୍ଷରେ ନାହୁଁ ବୋଲି କହିଛନ୍ତି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଯୁବକ ସଂଘ, ସଙ୍କୀର୍ତ୍ତନ ମଣ୍ଡଳୀ ଓ ବିଜେଡିର କର୍ମୀ ତଥା ବ୍ଲକର ସମସ୍ତ୍ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଥିଲେ ।