ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଯଜ୍ଞର ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ

0 84

ପୁରୀ : ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଯଜମାନ ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞର ପୂର୍ଣ୍ଣାହୁତି ଦେବେ । ଏଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷ୍ଠା ଉତ୍ସବ ପାଇଁ ବ୍‌ଯାପକ ପ୍ରସ୍ତୁତି କରାଯାଉଛି । ଦେଶ ବିଦେଶରେ ରହିଥିବା ଜଗନ୍ନାଥ ମନ୍ଦିର ଓ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯିବ । ଶ୍ରୀମନ୍ଦିର ସହ ଜଡିତ ନେପାଳ ରାଜାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ । ଯାହାକୁ ନେଇ ଏକ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କରାଯାଉଛି । ସେପଟେ ନୂଆବର୍ଷ ଓ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ନେଇ ଜନସମାଗମ ହେବାର ଆଶଙ୍କା ରହିଛି । ଏଣୁ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସେପଟେ ଯଜ୍ଞସ୍ଥଳ , ମଞ୍ଚ ସ୍ଥଳ ଓ ବେଦ ମଣ୍ଡପ ସ୍ଥାନ ଚିହ୍ନଟ ସରିଛି । ଗଜପତି ମହାରାଜ ଯେଭଳି ଯଜମାନ ହିସାବରେ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ, ଠିକ୍‌ ସେହିପରି ପ୍ରତିଷ୍ଠା ଉତ୍ସବରେ ଯଜ୍ଞରେ ପୂର୍ଣ୍ଣାହୁତି ଦେଇ ଲୋକାର୍ପଣ କରିବେ । ମହାପ୍ରଭୁଙ୍କର ଏହି ମହାନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଯୋରସୋରରେ ଆଗେଇ ଚାଲିଛି । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରକଳ୍ପ ସହିତ ଶ୍ରୀସେତୁ, ଶ୍ରୀଦାଣ୍ଡ, ଜଗନ୍ନାଥ ବଲ୍ଲଭ ପାର୍କିଂ ପ୍ରକଳ୍ପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏହି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଓ ଦେଶ ବାହାରୁ ବହୁ ଅତୀଥିଙ୍କୁ ନିମନ୍ତ୍ରଣ କରାଯିବ । ଏମିତିକି ଶ୍ରୀମନ୍ଦିର ସହ ଜଡିତ ନେପାଳ ରାଜାଙ୍କୁ ନିମନ୍ତ୍ରଣ କରାଯିବ । ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର, ପ୍ରସିଦ୍ଧ ମନ୍ଦିର, ଚାରି ଧାମ, ଚାରି ଶଂକରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯିବ । ଏନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅତିଥି ମାନଙ୍କୁ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତି ଓ ପ୍ରଦାନ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ନିମନ୍ତ୍ରଣ ପତ୍ର ପ୍ରସ୍ତୁତିକୁ ନେଇ ଶେଷ ସ୍ପର୍ଶ ଦିଆଯାଇଛି । ଅତିଥିଙ୍କ ତାଲିକା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଚି । ତେବେ ନିମନ୍ତ୍ରଣ ପତ୍ର ସହିତ ଏକ ସ୍ୱତନ୍ତ୍ର କିଟ୍‌ ଦିଆଯିବ । ଓଡିଆ, ଇଂରାଜୀ ଓ ହିନ୍ଦୀ ଆଦି ତିନୋଟି ଭାଷାରେ ରହିବ । ଏଥିରେ ପରିକ୍ରମା ପ୍ରକଳ୍ପକୁ ନେଇ ତଥ୍ୟ ସମ୍ବଳିତ ଇନଫର୍ମେସନ ବ୍ରୋଚର ରହିବ । ଏଥିରେ ପରିକ୍ରମା ପ୍ରକଳ୍ପ କଣ, ଭକ୍ତ ଓ ଦର୍ଶନାର୍ଥି ମାନେ କି ସୁବିଧା ପାଇବେ ସେ ସମ୍ପର୍କରେ ଅବଗତ ହୋଇ ପାରିବେ । ତେବେ ନିମନ୍ତ୍ରଣ ପତ୍ରରେ ଶ୍ରୀମନ୍ଦିରର ଓଲାଗି ହୋଇଥିବା ବାନା ଓ ମହାପ୍ରଭୁଙ୍କ ପ୍ରସାଦ ଆଦି କିଟ୍‌ ରେ ରହିବ । ଆସନ୍ତା ୧୯/୨୦ରୁ ନିମନ୍ତ୍ରଣ ପତ୍ର ବାଣ୍ଟିବା ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତି ହୋଇଛି ।
ସେପଟେ ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ଯେଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ତେବେ ପୁରୀ ଗସ୍ତରେ ଆସି ବଡ଼ଦାଣ୍ଡ ମର୍ଚ୍ଚିକୋଟ ଛକ ଠାରୁ ଶ୍ରୀକୃଷ୍ଣ ସିନେମା ହଲ୍‌ ଛକ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ଏସି ସେଡ୍‌ ପାଥ୍‌ ୱେ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ । ଆସନ୍ତା ଡିସେମ୍ବର ୨୫ ତାରିଖ ସୁଦ୍ଧା ଏହି ଏସି ସେଡ୍‌ ପାଥ୍‌ ୱେ ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଯୋଜନା ଥିବାବେଳେ ଭିଡ଼ ନିୟନ୍ତ୍ରଣରେ ଏହା ସହାୟକ ହେବ ବୋଲି କହିଛନ୍ତି ଆଇଜି । ସେହିପରି ଡିସେମ୍ବର ୨୩ରୁ ଜାନୁଆରୀ ୧ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେବା ନେଇ ଆଶଙ୍କା ଥିବାରୁ ଏହି ଏସି ସେଡ୍‌ ପାଥ୍‌ ୱେ ସାଧାରଣ ଭକ୍ତଙ୍କୁ ସୁବିଧା ଯୋଗାଇବ । ମହାପ୍ରଭୁଙ୍କ ନୀତିକାନ୍ତି ଚାଲୁଥିବା ସମୟରେ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ଭକ୍ତମାନେ ଏହି ଏସି ସେଡ୍‌ ପାଥ୍‌ ୱେ ରେ ବିଶ୍ରାମ ନେଇପାରିବେ । ୮୪ ମିଟର ଲମ୍ବା ଓ ୧୨ ମିଟର ଚଉଡ଼ା ବିଶିଷ୍ଟ ଏହି ଏସି ସେଡ୍‌ ପାଥ୍‌ ୱେ ରେ ୧୨ ଟି ଧାଡ଼ି ରହିବା ସହ ଭକ୍ତଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିବ । ତେବେ ଡିସେମ୍ବର ୨୩ ରୁ ୩୦ ଏବଂ ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିର ବାହାରେ ଓ ଭିତରେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଏହି ଉପଲକ୍ଷେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ପୁରୀ ଆସି ଭକ୍ତଙ୍କ ଦର୍ଶନ, ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ ପରେ ଏହି ସୂଚନା ଦେଇଛନ୍ତି । ଆଇଜିଙ୍କ ସହ ପୁରୀ ଏସପି ଡଃ କନୱର ବିଶାଳ ସିଂ, ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଭକ୍ତଙ୍କ ସହଜ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ତରଫରୁ ଏସି ଟନେଲ୍‌ ବ୍ୟବସ୍ଥା ହେଉଥିବାରୁ ମରଚିକୋଟ ଛକଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନୀ ମାନଙ୍କୁ ଉଠାଇ ଦିଆଯାଇଛି । ତେବେ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା କରିବାରେ ପ୍ରଶାସନ କେତେଦୂର ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

hiranchal ad1
Leave A Reply

Your email address will not be published.

15 − six =