ପୁରୀ : ବାହାନଗା ଠାରେ ରେଳ ଦୁର୍ଘଟଣା ପରେ ପୁରୀ ରେଳଷ୍ଟେସନରେ ରେଳ ପୂଜା । ଶ୍ରୀଜଗନ୍ନାଥ ସେନା ପକ୍ଷରୁ କରାଯାଇଛି ରେଳ ପୂଜା । ପୁରୀ ରେଳଷ୍ଟେସନ ୭ ନଂ ପ୍ଲାଟଫର୍ମରେ ଥିବା ପୁରୀ-ଆନନ୍ଦ ଟର୍ମିନାଲ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନକୁ ଶ୍ରୀଫଳ, ଫୁଲ, ଫଳ, ଧୂପ ଓ ଦୀପ ଅର୍ପଣ କରାଯାଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି । ଗତ କିଛି ଦିନ ହେବ ବାରମ୍ବାର ରେଳ ଦୁର୍ଘଟଣା ଘଟୁଥିବାରୁ ଏଥିରୁ ରକ୍ଷା ପାଇବା ପାଇଁ ଏଭଳି ଟ୍ରେନ୍ ପୂଜା କରାଯାଇଥିବା ସେନା ପକ୍ଷରୁ କୁହାଯାଇଛି । ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନେ କିଭଳି ସୁରକ୍ଷିତ ଭାବେ ଯାତାୟତ କରିପାରିବେ ସେନେଇ ମା କାଳୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେନା ପକ୍ଷରୁ ପ୍ରାର୍ଥନା କରାଯାଇଛି । ତେବେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ଅମର ଆତ୍ମାର ସଦଗତି କାମନା ସହ ଗୁରୁତର ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ସେବାୟତ, ବିଦେଶୀ, ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିମାନେ ସାମିଲ୍ ଥିଲେ ।