ରଥ ଉପରେ ଅଣସେବାୟତଙ୍କ ଭିଡିଓ କରିବା ପ୍ରସଂଗ, ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା

0 143

ପୁରୀ : ରଥ ଉପରେ ଅଣସେବାୟତ ଚଢି ଭିଡ଼ିଓ ଓ ରିଲସ କରି ସୋସିଆଲ ମିଡ଼ିଆରେ ଛାଡି ଭାଇରାଲ କରିବା ନେଇ ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା । ରଥଯାତ୍ରାରେ ଶୃଙ୍ଖଳିତ ନୀତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ନିଯୋଗ ଓ ବାଡ଼ଗ୍ରାହୀ ମାନଙ୍କୁ ଏକ ଚିଠି କରିଥିଲେ । ଯାହାର ଚିଠି ନମ୍ବର XII-15/2023 ଅଟେ । ଯେଉଁ ଚିଠିର ଚାରି ନମ୍ବରରେ ଉଲ୍ଲେଖ ଅଛି ରଥ ଉପରେ କେହି ମୋବାଇଲ ଫୋନ ବ୍ୟବହାର କରିବେ ନାହିଁ ଓ ପାଞ୍ଚ ନମ୍ବରରେ ଉଲ୍ଲେଖ ଅଛି କୌଣସି ଅଣସେବକ ରଥ ଉପରେ ରହିବେ ନାହିଁ ବୋଲି ନିୟମ ରହିଛି । କିନ୍ତୁ ଅନେକ
ଅଣସେବାୟତ ମଠା, ମକୁଟା ପିନ୍ଧି ରଥ ଉପରେ ଚଢିବା ସହ ଠାକୁରଙ୍କ ଶ୍ରୀଅଙ୍ଗ ସ୍ପର୍ଶ କରିଛନ୍ତି ବୋଲି ଯୁବ ଅଧିବକ୍ତା ମଞ୍ଚ ଅଭିଯୋଗ କରିଛି । ମଞ୍ଚ ଏତଲାରେ ଲେଖିଛି ଯେ ରଥ ଉପରକୁ କିଛି ଅଣ ସେବାୟତ ଯାଇ ଠାକୁରଙ୍କୁ ସ୍ପର୍ଶ କରିବା ସହିତ ବିଭିନ୍ନ ଭଙ୍ଗୀରେ ଫଟୋ ଓ ଭିଡିଓ ଉଠାଇ ବିଭିନ୍ନ
ସୋସିଆଲ ମିଡ଼ିଆରେ ଛାଡିଛନ୍ତି । ଅନେକ ରଥ ଉପରେ ଠାକୁରଙ୍କ ପାଖରୁ ରିଲସ କରିଥିବା ଦେଖିବାକୁ ମିଳିଛି । ଯାହା ସାମାଜିକ ଗଣମାଧ୍ୟମରେ ବିପୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ମହାପ୍ରଭୁଙ୍କ ଗୁପ୍ତ ନୀତି ପୋଷାକ ବଦଳା ଭିଡ଼ିଓ ବି ସୋସିଆଲ ମିଡ଼ିଆରେ ଛଡା ଯାଇଛି । ଯାହାକି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରିଛି ।
ଏଣୁ ମଞ୍ଚ କହିଛି ଉପଯୁକ୍ତ ତଦନ୍ତ କରି ସମସ୍ତଙ୍କ ଫେସବୁକକୁ ଯାଞ୍ଚ କରିବା ସହ ଯେଉଁମାନେ ରଥଉପରେ ଫଟୋ ଭିଡ଼ିଓ କରିଛନ୍ତି ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି)ର ଦଫା ୨୯୫,୨୯୫ଇ, ୨୯୬ ଅନୁସାରେ ମକଦ୍ଦମା ରୁଜୁ କରି ସେମାନଙ୍କୁ ଗିରଫ କରାଯାଉ ବୋଲି ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ମଞ୍ଚ ପକ୍ଷରୁ ଏତଲା ଦର୍ଶାଯାଇଛି ଏବଂ ଏତେ ସଂଖ୍ୟକ ଅଣସେବାୟତ ରଥ ଉପରକୁ କିପରି ଚଢ଼ିଲେ ତାହାର ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ମଞ୍ଚ ଅଭିଯୋଗ କରିଛି । ଉକ୍ତ ଏତଲା ପ୍ରଦାନ ସମୟରେ ମଞ୍ଚର ଆବାହକ ଅନିଲ୍‌ କୁମାର ସାହୁ, ଉମାଶଙ୍କର ସାହୁ, ବିଚିତ୍ରା ନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 − 9 =