ଦଶପଲ୍ଲା : ବନ୍ୟପ୍ରାଣୀ ବିଭାଗର ଚଢ଼ାଉ । ୨କେଜି କୁଟୁରା ଓ ଝିଙ୍କ ମାଂସ ଜବତ । ଦୁଇ ଅଭିଯୁକ୍ତ ଗିରଫ । ବାଇକ ଯୋଗେ ଜଙ୍ଗଲୀ ମାଂସ ନେଇ ଯାଉଥିବା ବେଳେ ମାଡି ବସିଲା ବନ୍ୟପ୍ରାଣୀ ବିଭାଗ । ଗିରଫ ଅଭିଯୁକ୍ତ ମାନେ ଦଶପଲ୍ଲା ବ୍ଲକ ଲୋଧାପଙ୍କା ଗ୍ରାମର ରତ୍ନାକର ଦଳବେହେରା ଓ ଅକ୍ରୁର ନାୟକ ବୋଲି ଜଣାପଡିଛି । ଏକ ବାଇକ ଯୋଗେ କୁଟୁରା ଓ ଝିଙ୍କ ମାଂସ ଧରି ଅଭିଯୁକ୍ତ ନରସିଂହପୁର କମଳାଡିହ ଅଞ୍ଚଳକୁ ଯାଉଥିଲେ । ବଡମୁଳ ଚେକଗେଟ ନିକଟରେ ଫରେଷ୍ଟର ଦେବାଶିଷ ବେହେରା, ପ୍ରତାପ କୁମାର ସେଠୀ ଓ ସଞ୍ଜୟ କୁମାର ରାଉତ ବାଇକକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଆନୁମାନିକ ୧ କିଲୋ କୁଟୁରା ମାଂସ ଓ ୧କିଲୋ ଝିଙ୍କ ମାଂସ ସହ ପୁଟା ମିଳିଥିଲା । ପରେ ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ମୌସୁମୀ ବେହେରାଙ୍କ ନେତୃତ୍ୱରେ ବନକର୍ମଚାରୀମାନେ ଲୋଧାପଙ୍କା ଗ୍ରାମରେ ଚଢ଼ାଉ କରି ଶିକାରରେ ସଂପୃକ୍ତ ଅଭିଯୁକ୍ତ ଅକ୍ରୁର ନାୟକକୁ ଗିରଫ କରିଥିଲେ । ଦୁଇ ଅଭିଯୁକ୍ତଙ୍କ ଠାରୁ ମାଂସ ସହ ବାଇକ ଓ ଶିକାରରେ ବ୍ୟବହୃତ ହେଡ଼ ଲାଇଟକୁ ଜବତ କରିଛି ବନବିଭାଗ । ଏହି ଘଟଣାରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।