ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର, ଉତ୍ସାହିତ କାଉଡ଼ିଆ

0 87

ଭୁବନେଶ୍ୱର: ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର। ଦେବଦେବ ମହାଦେବଙ୍କୁ ଜଳଲାଗି କରିବେ ଶିବଭକ୍ତ । ଏଥର କୌଣସି କୋଭିଡ଼ କଟକଣା ନଥିବାରୁ ଉତ୍ସାହିତ ଅଛନ୍ତି କାଉଡ଼ିଆ। ଏଥର ଦୁଇ ମାସିଆ ଶ୍ରାବଣରେ ଜଳାଭିଷେକର ସୁଯୋଗ ମିଳିଥିବାରୁ କାଉଡ଼ିଆମାନେ ବେଶ ଆନନ୍ଦ ଅନୁଭବ କରିଛନ୍ତି। ତେବେ ଆଜିଠୁ କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ନେଇ ରାଜ୍ୟର ବିଭିନ୍ନ ଶୈବାଳୟକୁ ଯାତ୍ରା ଆରମ୍ଭ କରିଛନ୍ତି ଶିବଭକ୍ତ କାଉଡ଼ିଆ। ବୋଲବମ… ହରହର ବମ… ଧ୍ୱନୀରେ ମହାନଦୀର ଗଡଗଡ଼ିଆ ଘାଟ ପ୍ରକମ୍ପିତ। ପୁରା ଅଂଚଳରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଅନ୍ୟପଟେ କାଉଡ଼ିଆଙ୍କ ସୁରକ୍ଷା ପାଇଁ ମୁତୟନ ରହିଛନ୍ତି ଅଗ୍ନିଶମ ଓ ପୁଲିସ | ତେବେ ଦେବଦେବ ମହାଦେବଙ୍କ ଜଳଲାଗି କରିବା ପାଇଁ ଗଡଗଡ଼ିଆ ଘାଟରେ ଜମିଛି ବୋଲବମ ଭକ୍ତଙ୍କ ଭିଡ଼ । ପବିତ୍ର ନଦୀର ଜଳ ଆଣି, ବାଲିରେ ମହାଦେବଙ୍କୁ ଫୁଲ ଚନ୍ଦନ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିବା ପରେ କାନ୍ଧରେ ବାହୁଙ୍ଗି ଓ କଳସ ଧରି ରାଜ୍ୟର ବିଭିନ୍ନ ଶୈବାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଉଡିଆ । କିଏ ବାବା ଲିଙ୍ଗରାଜ ଙ୍କ ପାଖକୁ ତ ଆଉ କିଏ ଧବଳେଶ୍ବରଙ୍କ ନିକଟକୁ ଆଉ କିଛି ଭକ୍ତ ଲୋକନାଥ ଓ ଆରଡି ଭଳି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି। ଶ୍ରାବଣ ମାସରେ ଗଡଗଡ଼ିଆ ଘାଟକୁ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରୁ ଶିବଭକ୍ତ ମାନଙ୍କର ସୁଅ ଛୁଟିଥାଏ ।

hiranchal ad1
Leave A Reply

Your email address will not be published.

13 + 3 =