ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ,ପୁଣି ନଷ୍ଟ ହେଲା ୫କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ

0 112

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ବନ୍ଦ ରହିଥିବା ବେଳେ ପୁଣି ଥରେ ବାଲିଗୁଡ଼ା ଥାନା ତରଫରୁ ଅପରେସନ ନୀଳ ଜହର ଆରମ୍ଭ ହୋଇଛି । ବାଲିଗୁଡ଼ା ବ୍ଲକ୍‌ କୁଟିକିଆ ପଞ୍ଚାୟତର ସାଉଟିକିଆ ଅଞ୍ଚଳରୁ ବେଆଇନ୍‌ ଗଞ୍ଜେଇ ଚାଷ ନଷ୍ଟ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ବେଆଇନ୍‌ ଭାବେ ୫୦ ଏକର ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଗଛକୁ କାଟି ସେଥିରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରିଛି ପୋଲିସ୍‌ । ଯାହାର ଆନୁମାନିକ ମୂଲ୍ୟ ପାଞ୍ଚ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏନେଇ ବାଲିଗୁଡ଼ା ଥାନା କେଶ୍‌ ନଂ. ୪୩/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ବେଳେ ଏଥିରେ ସଶସ୍ତ୍ର ପୋଲିସ ଫୋର୍ସ, ଅବକାରୀ ବିଭାଗର ଅଧିକାରୀ, କର୍ମଚାରୀ ଓ ଶ୍ରମିକ ସାମିଲ୍‌ ଥିଲେ । ଏହି ଅପରେସନରେ ବର୍ତ୍ତମାନ ସୁଦ୍ଧା ୨୬୦ କୋଟି ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରାଗଲାଣି । ଅଞ୍ଚଳରେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ କାରବାରକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ।

hiranchal ad1
Leave A Reply

Your email address will not be published.

three × two =