ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ସାତକୋଶିଆ ଗଣ୍ଡ

0 54

ହରଭଙ୍ଗା : ଅଧିକ ଶୀତ ଓ ଖାଦ୍ୟାଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଓଡିଶାକୁ ଆସି ବିଦେଶୀ ପକ୍ଷୀମାନେ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ମହାନଦୀର ସାତକୋଶିଆ ଗଣ୍ଡ ଓ ପଦ୍ମାତୋଳା ଅଭୟାରଣ୍ୟକୁ ଚାଲିଆସନ୍ତି । ଶୀତ ଋତୁର ଆରମ୍ଭରେ ଏହି ପକ୍ଷୀ ମାନେ ଆସିବା ସହିତ ଗ୍ରୀଷ୍ମଋତୁର ଆରମ୍ଭରେ ଫେରି ଯାଇଥାନ୍ତି । ପହିଲି ଶୀତର ଆଗମନରେ ରଙ୍ଗବେରଙ୍ଗର ଦେଶୀ ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଛି ସାତକୋଶିଆ ଗଣ୍ଡ । ପକ୍ଷୀ ମାନଙ୍କ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼ । ମହାନଦୀର ଉଭୟ ପାର୍ଶ୍ୱରେ ନଭଶୁମ୍ଭୀ ପର୍ବତ । ସକାଳର ପହିଲି ସୂର୍ଯ୍ୟ କିରଣ ପର୍ଯ୍ୟଟକଙ୍କୁ ଆକର୍ଷଣ କରେ । ଏହି ବିଦେଶୀ ପକ୍ଷୀମାନେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ସାତକୋଶିଆ ଗଣ୍ଡ,ପଦ୍ମାତୋଳା, ସୁନାଖଣିଆ, ବଡମୁଳ, ମାରଡ଼ା, କୁତିରୀ ଆଦି ମହାନଦୀ କୂଳରେ ଶହଶହ ସଂଖ୍ୟାରେ ବିଦେଶୀ ପକ୍ଷୀମାନେ ଚଳପ୍ରଚଳ କରନ୍ତି । ବିଦେଶୀ ପକ୍ଷୀଙ୍କ ଭିତରେ ଖରହଂସ, ଚନ୍ଦନାହଂସ, ଚକୋଆଟକୋଇ, ଚଟୁଆଗେଣ୍ଡି ଆଦି ୩୦ରୁ ଅଧିକ ପ୍ରଜାତିର ପକ୍ଷୀମାନେ ଆସିଥାନ୍ତି । ଏହି ଅଂଚଳରେ ବିଦେଶୀ ପକ୍ଷୀଙ୍କ ଉପଯୋଗୀ ଖାଦ୍ୟ ପ୍ରଚୁର ପରିମାଣରେ ଉପଲବ୍ଧି ହେଉଥିବାରୁ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ କଳ ରବରେ ମୁଖରିତ ହୁଏ ସାତକୋଶିଆ ଗଣ୍ଡ । ଅନ୍ୟପକ୍ଷରେ ପକ୍ଷୀ ଶିକାର ଉପରେ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଥିବାରୁ ଶିକାରୀ ମାନଙ୍କ ପ୍ରାଦୁର୍ଭାବ ନ ଥିବାରୁ ପକ୍ଷୀ ମାନେ ନିରାପଦ ମଣୁଛନ୍ତି । ଏପରିକି ବିଦେଶୀ ପକ୍ଷୀମାନେ ଜଙ୍ଗଲ ଓ ନଦୀକୂଳରେ ଥିବା ବିଭିନ୍ନ ଗଛ ମାନଙ୍କରେ ରାତ୍ରିଯାପନ କରୁଥିବା ଲକ୍ଷ୍ୟ କରାଯାଇଛି । ପକ୍ଷୀମାନଙ୍କୁ ସୁରକ୍ଷା ପାଇଁ ସୁରକ୍ଷା ଦଳ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ମହାନଦୀ ବନ୍ୟପ୍ରାଣୀ ବିଭାଗର ଭାରପ୍ରାପ୍ତ ଡିଏଫଓ କ୍ଷମା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − eight =