ଶ୍ରୀଲୋକନାଥଙ୍କ ମନ୍ଦିରରେ ପଙ୍କଉଦ୍ଧାର ନୀତି

0 28

ପୁରୀ : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ପୁରୀର ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ଆଜି ପଙ୍କଉଦ୍ଧାର ତଥା ପଙ୍କୁଉଜୁଳା ନୀତି ଅନୁଷ୍ଠିତ ହେଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଲୋକନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି ।
ଚଳିତବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ପଙ୍କଉଦ୍ଧାର ନୀତିରେ ସମସ୍ତ ସେବାୟତ ସାମିଲ ହୋଇ ଏହି ନୀତି ସମ୍ପାଦନ କରିଛନ୍ତି । ସେହିପରି ସ୍ୱତନ୍ତ୍ର ବ୍ୟାରିକେଡ଼ ମାଧ୍ୟମରେ ଦର୍ଶନାର୍ଥୀମାନେ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କୁ ଦର୍ଶନ ନେଇ ବ୍ୟବସ୍ଥା ହୋଇଛି ।
ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରିଥାନ୍ତି । ତେବେ ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା ମନ୍ଦିରରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତି ନୀତି ନାହିଁ । ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଇଥାଏ । ବର୍ଷତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି, ସୁନାରୂପାରେ ଆଚ୍ଛାଦିତ ହୋଇ ରହୁଥିବା ମହାପ୍ରଭୁ ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ବାହାର କରାଯାଇ ଥାଏ । ତେବେ ଚଳିତ ବର୍ଷ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଦିନ ଭକ୍ତମାନେ ଲୋକନାଥ ମନ୍ଦିରର ଗମ୍ଭୀରା ଭିତରକୁ ଯାଇ ଦର୍ଶନ କରିବାର ସୁଯୋଗ ଭକ୍ତଙ୍କୁ ପ୍ରଶାସନ ଅନୁମତି ଦେଇଥିବାରୁ ଉଭୟ ଭକ୍ତ ଓ ସେବାୟତ ବେଶ୍‌ ଉତ୍ସାହିତ ଥିବା କହିଛନ୍ତି ।

hiring


ତେବେ ପଙ୍କୋଦ୍ଧାର ଏକାଦଶୀ ଅବସରରେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଚୁଡାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ରାତ୍ର ୨ଟାରୁ ଦ୍ୱାର ଫିଟା ସହ ପରେ ବିଭିନ୍ନ ନୀତିକାନ୍ତି ଭୋର ସକାଳ ୮ ଟାରୁ ପଙ୍କୋଦ୍ଧାର କରାଯାଇ ଥିଲା । ଏହାପରେ ଦିନ ୧୨ଟାରୁ ସାଧାରଣ ଭକ୍ତମାନେ ପ୍ରଭୁ ଲୋକନାଥଙ୍କୁ ଦର୍ଶନ ନେଇ ବ୍ୟବସ୍ଥା ହୋଇଛି । ତେବେ ପଙ୍କୋଦ୍ଧାର ଓ ଜାଗର ଅବସରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତ ମାନଙ୍କ ପାଇଁ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି । ପଙ୍କୋଦ୍ଧାର ଏକାଦଶୀ ଦିନ ୨ହଜାର ଓ ଜାଗର ଯାତ୍ରା ଦିନ ୪ହଜାର ସ୍ୱତନ୍ତ୍ର ଦର୍ଶନ ଟିକେଟ ବିକ୍ରି ହେବାକୁ ଥିବାବେଳେ ଟିକେଟ ଦାମ୍‌ ୧୦୦ ଟଙ୍କା ରଖାଯାଇଛି । ଆସନ୍ତା ୧ ତାରିଖ ମଙ୍ଗଳବାର ଜାଗର ଯାତ୍ରା ଅବସରରେ ରାତ୍ର ୧୨.୩୦ରୁ ଦ୍ୱାର ଫିଟା ସହ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଭୋର ୪ ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଏହି ଦର୍ଶନ ବ୍ୟବସ୍ଥା ବୁଧବାର ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଚାଲିବା ପରେ ଭୋର ୪ ଟାରେ ମହାଦୀପ ଉଠିବ । ଜାଗର ଅବସରରେ ଭକ୍ତ ମାନେ ମନ୍ଦିର ପରିସରରେ ଓ ବାହାରେ ଏକାଠି ବସି ଦୀପ ଜାଳି ଉଜାଗର ରହିପାରିବେ । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 3 =