ମାଆ ଚାଲିଗଲେ, ବାପା ଅନ୍ୟଜଣଙ୍କୁ ବାହା ହୋଇ ଘରୁ ଫେରାର, ବେସାହାରା ତିନି ପିଲାଙ୍କ ଥଇଥାନ ଦାବି

0 88

ନନ୍ଦାହାଣ୍ଡି : ମାଆଙ୍କ ମୃତ୍ୟୁ ବରଣ ପରେ ବାପା ତିନି ଛୁଆଙ୍କୁ ଛାଡି ଅନ୍ୟତ୍ର ବାହା ହୋଇ କେଉଁଆଡେ ଚାଲିଗଲେ, କଞ୍ଚା ବୟସରେ ଦୁଇ ଝିଅ ଓ ପୁଅ ବାପା ଥାଇ ମଧ୍ୟ ଅନାଥ । ତିନି ଜଣ ଏବେ ବୃଦ୍ଧ ଆଈଅଜାଙ୍କ ଘରେ ଆଶ୍ରୟ ନେଇଛନ୍ତି । ଅଳିଏ ଖାଇଲେ ଆର ଅଳି ଉପାସରେ ଦିନ କାଟୁଛନ୍ତି । ଏହିପରି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମାଳୀ ଗୁଡା ପଞ୍ଚାୟତ ଅନ୍ତର୍ଗତ ଚିଲିଗୁଡା ଗ୍ରାମ ରେ ।
ଗ୍ରାମର ଡମୁ ଭତ୍ରା ଓ ବୁଦାଇ ଭତ୍ରାଙ୍କ ଗୋଟିଏ ମାତ୍ର ଝିଅ ନବିନା ଭତ୍ରାଙ୍କ ସହ ଦଶମୁ ଭତ୍ରାଙ୍କୁ ପ୍ରାୟ ଷୋହଳ ବର୍ଷ ତଳେ ଘର ଜ୍ୱାଇଁ ଭାବେ ଆଣି ବିବାହ କରାଇଥିଲେ । ଇତି ମଧ୍ୟରେ ଗୋଟିଏ ପୁଅ ଓ ଦୁଇ ଝିଅ ଜନ୍ମ ହୋଇଥିଲେ । ହସ ଖୁସିର ଘର ସଂସାର ମଧ୍ୟରେ ପ୍ରାୟ ବର୍ଷେ ତଳେ ନବିନାଙ୍କ ଦେହ ଖରାପ ହେବା ଯୋଗୁଁ ମୃତ୍ୟୁ ବରଣ କଲେ । ଏହା ପରେ ଦଶମୁ ଘରେ ତିନି ଛୁଆଙ୍କୁ ଛାଡି ଅନ୍ୟତ୍ର ଝିଅ ସହ ବିବାହ କରି ଘର ଚାଲିଯାଇଥିଲେ । ବାପା ବଂଚି ଥାଉ ଥାଉ ମଧ୍ୟ ଛୁଆ ମାନେ ଅନାଥ ହୋଇଯାଇଥିଲେ । ବୃଦ୍ଧ ଅଜାଆଈ ପାଖରେ ତିନି ଛୁଆ ଆଶ୍ରୟ ନେଲେ । ଡମୂ ଓ ବୁଦାଈଙ୍କ ନିଜ ଜମି ବାଡ଼ି କିଛି ନଥିବା ବେଳେ ପର ଘରେ ମୂଲ ଲାଗି କିମ୍ବା ନଦୀରୁ ମାଛ ଧରି ବିକ୍ରୀ କରି ପରିବାର ଚଳାଉଛନ୍ତି । ଏମିତିରେ ତିନି ଛୁଆଙ୍କ ଲାଳନ ପାଳନ ବୋଝ ବୃଦ୍ଧ କାନ୍ଧ ସମ୍ଭାଳି ପାରୁନାହିଁ । ତିନି ଛୁଆଙ୍କୁ ଭଲ ଭାବରେ ଦୁଇ ଓଳି ଖାଇବାକୁ ମଧ୍ୟ ଦେଇ ପାରୁନାହାନ୍ତି । ବଡ ନାତି ସୁରେଶଙ୍କୁ ନିକଟସ୍ଥ ବିଞ୍ଜିଗୁଡା ଆଶ୍ରମ ଆବାସିକ ବିଦ୍ୟାଳୟରେ ଛାଡିଛନ୍ତି । ଦୁଇ ନାତୁଣୀଙ୍କ ମଧ୍ୟରୁ ବଡ଼ ନାତୁଣୀ ମିନି ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳେ ସାନ ନାତୁଣୀ ଖିରମନି ଅଙ୍ଗନୱାଡି କେନ୍ଦ୍ର ଯାଉଛି । ଛୁଆ ମାନଙ୍କ ଭବିଷ୍ୟତ ପାଇଁ ଓ ଥଇଥାନ କରିବା ପାଇଁ ଡମୁ ଓ ଗ୍ରାମ ବାସୀ ନିବେଦନ କରିଛନ୍ତି । ଅତି କମରେ ବଡ଼ ଝିଅଙ୍କୁ କୌଣସି ଆବାସିକ କେନ୍ଦ୍ରକୁ ନେଇ ରଖିଲେ ଭଲରେ ଦୁଇ ଓଳି ଖାଇ ପାଠ ପଢି ପାରନ୍ତା ବୋଲି ସେମାନେ କହିଛନ୍ତି ।
ତିନି ଅନାଥ ଶିଶୁଙ୍କ ଦୟନୀୟ ଅବସ୍ଥା ଦେଖି ସ୍ଥାନୀୟ ବାସିନ୍ଦା ଦୁଃଖ ପ୍ରକାଶ କରିବା ସହ ଛୁଆ ମାନଙ୍କ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଥଇଥାନ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଏହି ସଂପର୍କରେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ସହ ଯୋଗାଯୋଗ କରିବାରୁ ତିନି ଛୁଆଙ୍କୁ ସମସ୍ତ ପ୍ରକାରର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

3 × 3 =