ସରିଲା ପ୍ରଚାର, ବିଧାୟକଙ୍କ ଦେଖାନାହିଁ

0 969

ଅନୁଗୋଳ : ଆଠମଲ୍ଲିକ ଏନଏସି ନିର୍ବାଚନ ପ୍ରଚାର ଆଜି ଶେଷ ହୋଇସାରିଛି । ଏନଏସି ଅଧ୍ୟକ୍ଷ ଆସନ ପାଇଁ ବିଜେପି ପକ୍ଷରୁ ଯୋଗମାୟା ପ୍ରିୟଦର୍ଶନୀ ମହାପାତ୍ର,ବିଜେଡି ପକ୍ଷରୁ ଅଶା କୁମାରୀ ସାହୁ,କଂଗ୍ରେସ ପକ୍ଷରୁ ରଞ୍ଜିତା ସିଂ, ସ୍ୱାଧୀନ ପ୍ରାର୍ଥୀ ଭାବେ ପୂର୍ବତନ ନଗରପାଳ ନିହାର ହୋତା ଓ ଅନ୍ୟ ଜଣେ ସରଜୁ ସିଂସାମନ୍ତ ପ୍ରାର୍ଥୀପତ୍ର ଦାଖଲ କରି ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି । ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଜେପି ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର ଚଳାଇଥିବା ବେଳେ କଂଗ୍ରେସ ପକ୍ଷରୁ ରାଜ୍ୟ ପ୍ରଦେଶ କଂଗ୍ରେସ ସମ୍ପାଦକ ବିଜୟାନନ୍ଦ ଚାଉଳିଆ ଓ ବିଜେଡି ପକ୍ଷରୁ ସମ୍ୱଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଇଂ. ନଳିନୀକାନ୍ତ ପ୍ରଧାନ ପ୍ରତ୍ୟେକ ୱାର୍ଡକୁ ଯାଇ ଭୋଟରଙ୍କୁ ଭୋଟ ଭିକ୍ଷା କରୁଥିବା ଦେଖାଯାଇଥିଲା । ଚଳିତ ପୌର ନିର୍ବାଚନରେ ବିଜେଡି ପକ୍ଷରୁ ଇଂ. ନଳିନୀ କାନ୍ତ ପ୍ରଧାନ ପ୍ରଚାର କରୁଥିବା ବେଳେ କୌଣସି ଦିନ ମଧ୍ୟ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ଦେଖିବାକୁ ମିଳିନଥିଲା । ସାଧାରଣ ଭୋଟର ବିଜେଡିର ପ୍ରଚାରର ମଙ୍ଗ ଧରିଥିବା ଇଂ. ପ୍ରଧାନଙ୍କୁ ବିଧାୟକ କୁଆଡେ ଗଲେ ବୋଲି ପ୍ରଶ୍ନ କରିଥିଲେ କିନ୍ତୁ ସେ ଏହାର କୌଣସି ସଠିକ ଉତ୍ତର ଦେଇପାରିନଥିଲେ । ବିଧାୟକ ଶ୍ରୀ ସାଏଙ୍କ ଦ୍ୱାରା ଏନଏସିରେ ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲେ ମଧ୍ୟ ସେ ପ୍ରଚାରରେ ସାମିଲ ନହେବା ସାଧାରଣରେ ଭିନ୍ନ ଚର୍ଚ୍ଚା ହେଉଛି । ଏଣୁ ବିଧାୟକଙ୍କୁ ବାଦ ଦେଇ ଇଂ. ଶ୍ରୀ ପ୍ରଧାନ ପ୍ରଚାରର ମଙ୍ଗ ଧରିଥିବା ଘଟଣାଟି ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ଥିବା ସ୍ପଷ୍ଟ ବାରି ହେଉଛି । ଆଠମଲ୍ଲିକରେ ମୋଟ ୧୧ ଟି ୱାର୍ଡ ରହିଥିବା ବେଳେ ୯୭୮୧ ଜଣ ଭୋଟର ଭୋଟ ଦେବାକୁ ଥିବା ବେଳେ ୧୨ ଟି ମତଦାନ କେନ୍ଦ୍ରରେ ୨୪ ତାରିଖ ଦିନ ଭୋଟ ଦେବେ । ପ୍ରଚାର ଶେଷ କରି ପାର୍ଥି ମାନେ ନିଜ ୱାର୍ଡରେ ଭୋଟ ଅଙ୍କାକଷା କରୁଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

eighteen − seven =