ବାଲିଗୁଡ଼ା: କେନ୍ଦ୍ର ସରକାରଙ୍କ ଜିଏସଟି ହ୍ରାସକୁ ନେଇ ସବୁଠି ଚର୍ଚ୍ଚା ଲାଗିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ବଣିକ ସଂଘ ପକ୍ଷରୁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ସହ ଏକ ଆଲୋଚନା ଚକ୍ର ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବାଲିଗୁଡ଼ା ବଣିକ ସଂଘ ସଭାପତି, ସମ୍ପାଦକ,କ୍ଷୁଦ୍ର ବଣିକ ସଂଘ ସଭାପତି, ସମ୍ପାଦକଙ୍କ ସମେତ ସହରର ବହୁ ବ୍ୟବସାୟୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଦୁଗ୍ଧ ଜାତୀୟ ସାମଗ୍ରୀରୁ ଟିକସ ହଟାଇବା ସହ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ କେନ୍ଦ୍ର ସରକାର ଜିଏସଟି କୋହଳ କରିଥିବା ନେଇ ଘୋଷଣା କରିଛନ୍ତି । ଏହା ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ଠାରୁ ସାରା ଦେଶରେ ଲାଗୁ ହେବ । ସବୁ ରାଜ୍ୟର ଜନସାଧାରଣ ଆର୍ଥିକ ସ୍ଥିତି ସୁଧାରିବାରେ ଅଂଶଗ୍ରହଣ କଲେ ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ ହେବାସହ ଦେଶର ଉନ୍ନତି ହେବ । ଟିକସ ହ୍ରାସ ଦ୍ବାରା ନିଶ୍ଚିତଭାବେ ଗରିବ ମଧ୍ୟବିତ୍ତ ପରିବାର ଲୋକେ ଏଥିରୁ ଲାଭ ପାଇବେ । ଟିକସ ହ୍ରାସ ଦ୍ବାରା ଦେଶରେ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଲୋକେ ସ୍ବାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ । ଅନ୍ୟପଟେ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ । ଏହାଦ୍ବାରା ବ୍ୟବସାୟୀଙ୍କ ସମସ୍ୟା ଦୁର ହେବାସହ ଅଧିକ ଟିକସର ବୋଝ ରହିବ ନାହିଁ ଏବଂ ଟିକସ କମିବା ଦ୍ବାରା ଜନସାଧାରଣ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ମଧ୍ୟ ସୁଲାଭ ପାଇବେ ବୋଲି କହିଛନ୍ତି ବାଲିଗୁଡ଼ା ବଣିକ ସଂଘ ସଭାପତି ଶ୍ୟାମସୁନ୍ଦର ପାତ୍ର ।
