ପୁରୀ : ପୁରୀ ବାସିନ୍ଦାଙ୍କ ବହୁ ଦାବି ପରେ ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀ ମନ୍ଦିର ପଶ୍ଚିମ ଦ୍ୱାର ଖୋଲିଛି । କେବଳ ପୁରୀ ବାସି ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିବା ନେଇ ବ୍ୟବସ୍ଥା ହୋଇଚି । ତେବେ ପଶ୍ଚିମ ଦ୍ୱାର ଖୋଲିଥିଲେ ମଧ୍ୟ ପୁରୀ ବାସିନ୍ଦାଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି । କାରଣ ପୁରୀ ବାସୀ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଦାବୀ କରିଥିଲେ । ପୁରାଣର ବର୍ଣ୍ଣନା ଅନୁଯାୟୀ ପୂର୍ବ, ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାର ଧର୍ମ, ଅର୍ଥ, କାମ ଓ ମୋକ୍ଷ ଦ୍ୱାର । ଭକ୍ତ ମାନେ ବିଭିନ୍ନ କାମନା ନେଇ ନିର୍ଦ୍ଦିଷ୍ଟ ଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରନ୍ତି । କିନ୍ତୁ ପଶ୍ଚିମ ଦ୍ୱାର ଦେଇ କେବଳ ପ୍ରବେଶ ଅନୁମତି ଥିବାରୁ ଏହି ଧର୍ମୀୟ ଅଧିକାରରୁ ଭକ୍ତ ବଞ୍ଚିତ ହୋଇଛନ୍ତି । ପ୍ରଶାସନ ଭକ୍ତଙ୍କ ଧର୍ମୀୟ ଭାବନାରେ ହସ୍ତକ୍ଷେପକୁ ନେଇ ପୁରୀ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ରହିଚି । ସେହିପରି ଶ୍ରୀମନ୍ଦିର ଚାରି ପାଖରେ ସାହି ଗୁଡିକରେ ହଜାର ହଜାର ବାସିନ୍ଦା ରହୁଛନ୍ତି । ପୂର୍ବରୁ ନିଜ ସୁବିଧା ଅନୁଯାୟୀ ବିଭିନ୍ନ ଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରି ଖୁବ କମ ସମୟରେ ଫେରି ଆସୁଥିଲେ । ହେଲେ ପଶ୍ଚିମ ଦ୍ୱାର ଦେଇ କେବଳ ପ୍ରବେଶ ନିୟମ ପରେ ପୁରୀ ବାସି ପୁଣି ବୁଲି ବୁଲି ପଶ୍ଚିମ ଦ୍ୱାର ଆସିବେ । ଫଳରେ ଲୋକଙ୍କୁ ଯାତାୟତରେ ସମସ୍ୟା ହେବ । ବୟସ୍କ ବ୍ୟକ୍ତି ବେଶ୍ ଅସୁବିଧା ଭୋଗିବେ । ଏଣୁ ପୁରୀ ବାସୀଙ୍କ ପାଇଁ କେବଳ ପଶ୍ଚିମ ଦ୍ୱାର ଖୋଲିବା ଦ୍ୱାରା କିଛି ଲାଭ ହେବନି ବୋଲି ପୁରୀବାସୀ ଅଭିଯୋଗ କରିଚନ୍ତି । ପୂର୍ବ ଭଳି ଚାରି ଦ୍ୱାର ଖୋଲିବାକୁ ପୁରୀ ବାସି ଦାବୀ କରିଛନ୍ତି । ସେପଟେ ପୁରୀ ବାହାରୁ ଆସୁଥିବା ଭକ୍ତଙ୍କୁ କେବଳ ସିଂହ ଦ୍ୱାର ଦେଇ ପ୍ରବେଶ ନିୟମ ଥିବାରୁ ପ୍ରବଳ ଭିଡ ହେଉଚି । ଲୋକ ମାନେ ଖରାରେ ଠିଆ ହୋଇ କଷ୍ଟ ପାଉଛନ୍ତି । ତେବେ ମହାପ୍ରଭୁଙ୍କ ଆଗରେ ସବୁ ଭକ୍ତ ସମାନ । ଏଣୁ ଭେଦଭାବ ନ କରି ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବୀ କରିଛନ୍ତି ପୁରୀ ବାହାରୁ ଆସିଥିବା ଭକ୍ତ ।