ଗ୍ରୀନ୍‌ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ

0 69

ପୁରୀ :ଶ୍ରୀଜଗନ୍ନାଥ ଧାମ୍‌ ପୁରୀକୁ ସାରା ବିଶ୍ୱ ସହିତ ଯୋଡ଼ିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ପୁରୀ ସହର ଉପକଣ୍ଠ ଗିରଳ ଛକ ନିକଟରେ ଗ୍ରୀନ୍‌ ଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏୟାରପୋର୍ଟ ଅଥୋରିଟି ଅଫ୍‌ ଇଣ୍ଡିଆର ଏକ ପ୍ରତିନିଧି ମଣ୍ଡଳୀ ଏୟାରପୋର୍ଟ ନିର୍ମାଣ ହେବାକୁ ଥିବା ସ୍ଥାନକୁ ଯାଇ ବିଭିନ୍ନ ବୈଷୟିକ ଦିଗ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅପସ୍ଟିକାଲ୍‌ ସର୍ଭେ, ପ୍ରି ଭିଜିବିଲିଟି ଓ ଗ୍ରାଉଣ୍ଡର ସ୍ଥିତି ପରଖିବା ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି । ତେବେ ପ୍ରାଥମିକ ପର୍ଯ୍ୟାୟରେ ବିମାନ ବନ୍ଦର ପାଇଁ ଆବଶ୍ୟକ ଥିବା ୧୧୦୦ ଏକର ଜମି ଅଧିଗ୍ରହଣ ନେଇ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ନୋଟିସ୍‌ ଜାରି ହେବାପରେ ଜମି ଅଧିଗ୍ରହଣ କରାଯିବ । ଏହାପରେ ବିମାନ ବନ୍ଦର ପାଇଁ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ବିମାନ ବନ୍ଦରର ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ୍‌ ପ୍ରତି ସାରା ବିଶ୍ୱରେ ରହିଛି ସ୍ୱତନ୍ତ୍ର ଆକର୍ଷଣ । ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଦେଶ ବିଦେଶରୁ ଶ୍ରୀକ୍ଷେତ୍ର ପୁରୀକୁ ଛୁଟି ଆସୁଛନ୍ତି । ତେବେ ଦିନକୁ ଦିନ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିବାରୁ ଗମନାଗମନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାର ପୁରୀରେ ଅତ୍ୟାଧୁନିକ ବିମାନ ବନ୍ଦର ନିର୍ମାଣ କରିବା ପାଇଁ ଯାଉଛନ୍ତି । ତେବେ ଏହି ବିମାନ ବନ୍ଦର ହେବା ଦ୍ୱାରା ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଏବଂ ପର୍ଯ୍ୟଟକ ପୁରୀକୁ ସହଜରେ ଆସି ପାରିବେ । ଏହାଦ୍ୱାରା ପୁରୀର ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିବ ବୋଲି ହୋଟେଲିୟର ଓ ବୁଦ୍ଧିଜୀବି କହିଛନ୍ତି ।
ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଥିବାବେଳେ ଏହାକୁ ବାସ୍ତବ ରୂପ ଦେବା ପାଇଁ ସହରରେ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତେବେ ଜାତୀୟ ରାଜପଥ, ଟ୍ରେନ୍‌ ଲାଇନ୍‌ ସହ ପୁରୀର ଯୋଗାଯୋଗ ବହୁ ପୂର୍ବରୁ ଯୋଡି ହୋଇ ସାରିଥିବା ବେଳେ ଆଗାମୀ କିଛି ବର୍ଷ ପରେ ବିମାନ ବନ୍ଦର ନିର୍ମାଣ ଶେଷ ହେଲେ ପୁରୀକୁ ସବୁ ଦିଗରୁ ଯାତାୟାତ ଅଧିକ ସୁଗମ ହୋଇପାରିବ । ଜଗନ୍ନାଥ ଧାମର ଉନ୍ନତି ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

three × five =