ଦଶପଲ୍ଲା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଗଣନା ଶେଷ ହୋଲାପରେ ଗତକାଲିଠାରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଆସନ କିଏ ହାତେଇବ ତାକୁ ନେଇ ଆରମ୍ଭ ହୋଇଯାଇଛି ବଳ କଷାକଷି । ଦଶପଲ୍ଲାରେ ଶାସକ ଓ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ଆସନକୁ ଦଖଲ କରିବା ନେଇ ଏକପ୍ରକାର ମହାଭାରତ ଆରମ୍ଭ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଦଶପଲ୍ଲା ବ୍ଲକ୍ର ୨୦ଗୋଟି ଗ୍ରାମପଞ୍ଚାୟତ ପାଇଁ ୩ଟି ପର୍ଯ୍ୟାୟରେ ମତଗଣନା କରାଯାଇଥିଲା । ଏଥିରେ ବାଣିଗୋଚ୍ଛା, ଦଶପଲ୍ଲା ଓ ମଧ୍ୟଖଣ୍ଡ ଜିଲାପରିଷଦ ଜୋନ୍ରେ ବିଜେଡି ବିପୁଳ ସଂଖ୍ୟା ସମର୍ଥନ ଦେଇଛନ୍ତି । ଗତଥର ଭଳି ଏଥର ମଧ୍ୟ ବ୍ଲକ୍ ଅଧ୍ୟକ୍ଷା ଆସନଟି ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି । ଏହି ଆସନ ପାଇଁ ବିଧାୟକଙ୍କ ସମର୍ଥିତ ତଥା ବର୍ତ୍ତମାନର ଅଧ୍ୟକ୍ଷା ସୁନନ୍ଦା ସାହୁ ମୁଖ୍ୟ ଦାବୀଦାର ରହିଥିବାବେଳେ ଦୁଇଗୋଷ୍ଠୀରୁ ୧୦ ଜଣ ଲେଖାଏଁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଉଭୟଗୋଷ୍ଠୀ ପରସ୍ପର ମଧ୍ୟରେ ଟକରା ଟକରି ଅବସ୍ଥାରେ ରହିଛନ୍ତି । ତବେ ଆସନ୍ତା ୧୨ ତାରିଖରେ କାହାମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।