ଦାନ ବାକ୍ସ ଲୁଟ୍‌ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

0 114

ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଗୁମୁଟରେ ଥିବା ଦାନ ବାକ୍ସ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଭୀମଙ୍କ ପ୍ରତିମୂର୍ତ୍ତି ତଳେ ଥିବା ଦାନ ବାକ୍ସକୁ ତଡାଯାଇ ଦାନ ବାକ୍ସରେ ଥିବା ଟଂକାକୁ ଲୁଟ କରାଯାଇଛି । ତେବେ ଆଜି ସକାଳେ ଏହା ଜଣାପଡିଛି । ତେବେ ଶ୍ରୀମନ୍ଦିର ଭିତରେ ଓ ଚାରି ଦ୍ୱାରରେ ପୋଲିସ୍‌ ପ୍ରହରା ୨୪ ଘଂଟା ଥିବା ବେଳେ କିପରି ଦାନବାକ୍ସ ଲୁଟ ହେଲା ସେ ନେଇ ଭକ୍ତ ମହଲରେ ପ୍ରଶ୍ନ ଉଠୁଛି । ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ପହୁଡ଼ ନିତି ପରେ ସମସ୍ତ ଦ୍ୱାର ବନ୍ଦ କରାଯାଇ ଉଭୟ ଜେଟିପି ଓ ଓଡ଼ିଶା ପୋଲିସ ସୁରକ୍ଷା ଦାୟିତ୍ୱରେ ରୁହନ୍ତି । ହେଲେ ଏତେ ସୁରକ୍ଷା ବ୍ୟବସ୍ଥାରେ କିଭଳି ଲୁଟ ହେଲା ଦାନ ବାକ୍ସ, କେମିତି ପୋଲିସ୍‌ ଜାଣିପାରିଲା ନାହିଁ ସେ ନେଇ ପ୍ରଶ୍ନ ଉଠିଥିବା ବେଳେ ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ରହିଛି ତାହା ପ୍ରମାଣିତ ହୋଇ ଯାଇଛି । ପୂର୍ବରୁ ଶ୍ରୀମନ୍ଦିର ରୋଷ ଘରେ ଜଣେ ବ୍ୟକ୍ତି ରାତିରେ ଲୁଚି ରହି ଚୁଲା ଭାଙ୍ଗି ଦେଇଥିଲା । ପରେ ଶ୍ରୀ ମନ୍ଦିର ସୁରକ୍ଷା ନେଇ ବହୁ ତମ୍ବି ତଫାନ ପରେ ଶ୍ରୀ ମନ୍ଦିର ଭିତରେ ଉଭୟ ଓଡ଼ିଶା ପୋଲିସ ଓ ଜଗନ୍ନାଥ୍‌ ମନ୍ଦିର ପୋଲିସ୍‌ ଉଭୟ ମିଳିତ ଭାବେ ସୁରକ୍ଷା ଦାୟିତ୍ୱ ନେଇଥିଲେ । ରାତ୍ର ପହୁଡ଼ ପରେ ଶ୍ରୀମନ୍ଦିର ଭିତରେ କେହି ବ୍ୟକ୍ତି ରହିବେନି । ସେହିଭଳି ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ଶ୍ରୀମନ୍ଦିର ଭିତରୁ ଅନେକ ବ୍ୟକ୍ତି ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ଭାଇରଲ ମଧ୍ୟ କରିଛନ୍ତି । ଶ୍ରୀମନ୍ଦିର ଉପରୁ ଡ୍ରୋନରେ ଭିଡ଼ିଓ ମଧ୍ୟ ଉତ୍ତୋଳନ ହୋଇଛି । କିନ୍ତୁ ପୁରୀ ପୋଲିସ୍‌ ଏହାର ଟେରପାଇ ପାରିନାହିଁ । ତୁରନ୍ତ ପୋଲିସ ଡିଜି ଏହାକୁ ଗୁରୁତର ଭାବେ ଗ୍ରହଣ କରି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଭକ୍ତ ମହଲରେ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

two × two =