ପଞ୍ଚାୟତ ମହାଭାରତ ପରେ ଅଜ୍ଞାତବାସ

0 74

ଦଶପଲ୍ଲା : ସରିଲା ପଞ୍ଚାୟତ ମହାଭାରତ । ଆସନ୍ତା ୨୮ ତାରିଖରେ ଦଶପଲ୍ଲା ବ୍ଲକରେ ହେବ ଭୋଟ ଗଣତି । ୱାର୍ଡ ସଭ୍ୟଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ସମସ୍ତ ପ୍ରାର୍ଥୀ ଏବେ ହାର ଜିତ୍‌କୁ ନେଇ ଦ୍ୱନ୍ଦରେ ଥିବା ବେଳେ କିଏ ହାତେଇବ ଦଶପଲ୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ , ତାହାକୁ ନେଇ ଚାଲିଛି କଳ୍ପନା ଜଳ୍ପନା ଓ ଅଂକକଷା । ଚଳିତ ନିବାଚନରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀଟି ମହିଳାମାନଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏହି ପଦବୀ ପାଇଁ ପ୍ରମୁଖ ଦାବିଦାର ହୋଇଛନ୍ତି ଘୋଳାହାଣ୍ଡି ପଞ୍ଚାୟତରୁ ସମିତି ସଭ୍ୟା ପ୍ରାର୍ଥିନୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ମିତାଞ୍ଜଳି ସାହୁ ଓ ସିମିଳିସାହି ପାଞ୍ଚାୟତରୁ ପ୍ରତିଦ୍ୱନ୍ଦିତା କରୁଥିବା ସମିତି ସଭ୍ୟ ପ୍ରାର୍ଥୀନୀ ସୁନନ୍ଦା ସାହୁ । ମିତାଞ୍ଜଳି ରାଜନୀତିରେ ନୂଆମୁହଁ ହୋଇଥିବା ବେଳେ ସୁନନ୍ଦା ଗତ ନିର୍ବାଚନରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ୫ ବର୍ଷ ବିତାଇ ସାରିଛନ୍ତି । ଚଳିତ ନିର୍ବାଚନରେ ଉଭୟ ନିଜ ନିଜ ସପକ୍ଷରେ ସମସ୍ତ ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥୀ ଦେଇ ସେମାନଙ୍କ ବିଜୟ ପାଇଁ ଅର୍ଥ ଖର୍ଚ୍ଚ କରିଛନ୍ତି । ଏବେ ନିର୍ବାଚନ ସରିବା ପରେ ସମିତିସଭ୍ୟମାନେ ନିଜ ନିଜ ସମର୍ଥକ ଗୋଷ୍ଠୀଙ୍କୁ ନେଇ ଅଜ୍ଞାତବାସରେ ରହିଛନ୍ତି । ଏପରିକି ଚଳିତ ପଞ୍ଚାୟତ ନିର୍ବାଚନରେ ଅନ୍ୟ ପଦପଦବୀ ଅପେକ୍ଷା ସମିତିସଭ୍ୟ ପ୍ରାର୍ଥୀମାନଙ୍କ ପାଇଁ ଉଭୟ ଗୋଷ୍ଠୀ ପକ୍ଷରୁ ସର୍ବାଧିକ ଅର୍ଥ ଖର୍ଚ୍ଚ କରାଯାଇଛି । ଯାହାକି, ଦଶପଲ୍ଲାରେ ପ୍ରଥମ ଥର ପାଇଁ ସମିତି ସଭ୍ୟମାନଙ୍କ ପାଇଁ ବହୁ ଅର୍ଥ ଖର୍ଚ୍ଚ କରାଯାଇଥିବା ଆଲୋଚନା ହେଉଛି, ମାତ୍ର ପ୍ରାର୍ଥୀମାନେ ବହୁ ଅର୍ଥ ଖର୍ଚ୍ଚ କରି ନର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ଏବେ ଏହାର ହିସାବ ନିକାସ ଚାଲିଛି । କେତେ ଅର୍ଥ ଖର୍ଚ୍ଚ ହେଲା ଏବଂ କେଉଁ ୱାର୍ଡ଼ରୁ କେତେ ଭୋଟ୍‌, ସେମାନଙ୍କ ସପକ୍ଷରେ ଆସିଛି ଏବଂ ମତଦାନ ସେମାନଙ୍କ ସପକ୍ଷରେ ଅଛି କି ନାହିଁ ସେ ନେଇ ଚାଲିଛି ଅଂକକଷା । ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ସମିତିସଭ୍ୟମାନଙ୍କ ଭୂମିକା ଗୁରୁତ୍ତ୍ୱପୂର୍ଣ ଥିବା ବେଳେ ସମିତି ସଭ୍ୟମାନଙ୍କ ଘୋଡା ବେପାର ପୂର୍ବରୁ ନିଜ ସମର୍ଥକମାନେ ଅଜ୍ଞାତବାସରେ ରହିଛନ୍ତି । ମାତ୍ର କିଏ ଜିତିବ କିଏ ହାରିବ ତାହାକୁ ଅପେକ୍ଷା କରାଯାଇଥିବା ବେଳେ ପଞ୍ଚାୟତ ସମିତି ପଦବୀ କିଏ ଦଖଲ କରିବ ଏବଂ ହାତୀ କାହା ମୁଣ୍ଡରେ ସୁନାକଳସ ଢାଳିବ ନା , ରାଜନୈତିକ ବଡ଼ପଣ୍ଡାଙ୍କ ଇସାରାରେ କିଛି ଓଲଟପାଲଟ ହୋଇଯିବ, ତାହା ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

5 × 2 =