ଫୁଲବାଣୀ: କନ୍ଧମାଳ-ବୌଦ୍ଧ ମଧ୍ୟରେ ଥିବା ଦୂରତା ହ୍ରାସ କରି ଉଭୟ ଜିଲ୍ଲା ମଧ୍ୟରେ ସମ୍ପର୍କକୁ ନିବିଡ ଓ ମଜଭୁତ କରିବା ପାଇଁ ଏକ ସର୍ଟକଟ ସ୍ଥାୟୀ ରାସ୍ତା ନିର୍ମାଣ କରିବା ଲାଗି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିରେ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ପଂଚାୟତର କେନ୍ଦୁପଡା ଠାରୁ ବୌଦ୍ଧ ଜିଲାର ନାରାୟଣପ୍ରସାଦ ଯାଏ ରାସ୍ତା ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଛି । ବିଧାୟକ କହଁର,ବିଡିଓ ମହନ୍ତ ଓ ଯନ୍ତ୍ରୀ ପ୍ରମୁଖ ରାସ୍ତା ବୁଲି ଦେଖିବା ସହ କାମ ଆରମ୍ଭ ନେଇ ଆଲୋଚନା କରିଥିଲେ । କଣ୍ଟାମାଳ ବିଧାୟକ ମହୀଧର ରଣା ମଧ୍ୟ ଏହି ରାସ୍ତା ପାଇଁ ସମ୍ମତି ପ୍ରଦାନ କରିବା ସହ ଅର୍ଥ ଯୋଗାଇଦେବା ଲାଗି କହିଛନ୍ତି । ବାଲନ୍ଦାପଡାଠାରୁ କେନ୍ଦୁଗଡା ଯାଏ ବହୁବର୍ଷ ତଳେ ୨୦୦୭/୦୮ ବର୍ଷରେ ରାସ୍ତା ନିର୍ମାଣ ହୋଇଥିଲା । ହେଲେ ଏହାପରଠୁ ରାସ୍ତା ନିର୍ମାଣ ହୋଇନଥିଲା । ଏହି ରାସ୍ତା ପାଇଁ ଆଗରୁ ଲୋକେ ଦାବୀ କରି ଆସୁଥିଲେ । ବର୍ତ୍ତମାନ ରାସ୍ତା ନିର୍ମାଣ ପାଇଁ ବାଟ ଫିଟିବ । ଫଳରେ ଅଞ୍ଚଳବାସୀ ବିଧାୟକ କହଁର ଓ ବିଡିଓ ମହନ୍ତଙ୍କୁ ସାଧୁବାଦ ଜଣାଇବା ସହ ରାସ୍ତା କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ଦାବୀ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ, ନାରାୟଣ ପ୍ରସାଦ ସରପଞ୍ଚ ତାରାକାନ୍ତି ମାଝି, କୋଇର ମାଣ୍ଡୁ ସମିତି ସଭ୍ୟ ପଞ୍ଚାନନ ଦିଗାଲ, ବାଲନ୍ଦାପଡା ପୂର୍ବତନ ସରପଞ୍ଚ ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।