ଉପଖଣ୍ଡ ଚିକିତ୍ସାଳୟରେ କର୍ମଚାରୀ ମରୁଡ଼ି, ରୋଗୀ ସେବା ବାଧାପ୍ରାପ୍ତ

0 282

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଜଣାପଡ଼ିଛି । ଆବଶ୍ୟକ ଅନୁଯାୟୀ ଡାକ୍ତର,ଟେକ୍ନିସିଆନ୍‌ ଏବଂ ଅନ୍ୟାନ୍ୟ କର୍ମଚାରୀ ନଥିବା କାରଣରୁ ଦୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶହଶହ ରୋଗୀ । ଅନ୍ୟପଟେ ଚିକିତ୍ସାଳୟରେ ଥିବା ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଆବଶ୍ୟକ ଅନୁଯାୟୀ କର୍ମଚାରୀ ନଥିବା କାରଣରୁ ସେବା ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି । ଔଷଧ ବିତରଣ କେନ୍ଦ୍ରରେ ୬ ଜଣ କର୍ମଚାରୀ ରହିବା ବଦଳରେ ଅଛନ୍ତି ମାତ୍ର ଦୁଇଜଣ । ଫଳରେ ଦୁଇଜଣ କର୍ମଚାରୀ ୧୨ ଘଣ୍ଟା ଲେଖାଏଁ ଡିୟୁଟି କରୁଥିବା ଜଣାପଡ଼ିଛି । ଏନେଇ ଔଷଧ ବିତରଣ କେନ୍ଦ୍ରରେ କାର୍ଯ୍ୟରତ ଦୁଇ କର୍ମଚାରୀ ଉପଖଣ୍ଡ ଚିକିତ୍ସାଳୟ ଅଧିକାରୀଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ପଦବୀ ପୂରଣ ନିମନ୍ତେ ନିବେଦନ କରିଥିଲେ ମଧ୍ୟ ଏଯାବତ୍‌ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ । ଅନ୍ୟପଟେ ଯଥାଶୀଘ୍ର ଆବଶ୍ୟକ ଅନୁଯାୟୀ କର୍ମଚାରୀ ଯୋଗାଇ ଦିଆନଗଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଔଷଧ ବିତରଣ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ । ଡାକ୍ତରଖାନାରେ ଆବଶ୍ୟକ ଅନୁଯାୟୀ ଡାକ୍ତର ନଥିବାରୁ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇପାରୁନଥିବା ବେଳେ ଯଦି ଔଷଧ ବିତରଣ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରନ୍ତି ତେବେ ରୋଗୀ ଔଷଧ ପାଇବାରୁ ବଞ୍ଚିତ ରହିବେ । ଏଣୁ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ସତର୍କ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି ।

hiranchal ad1
Leave A Reply

Your email address will not be published.

16 + 13 =