ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ସଙ୍କରାଖୋଲ ଗ୍ରାମ ପଞ୍ଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୁର୍ଦ୍ଦଶା କହିଲେ ନ ସରେ । ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି, ସେହି ଆଣ୍ଠୁଏ ପାଣି ଭିତରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାକୁ ଯାଉଛନ୍ତି । ମୁଖ୍ୟ ରାଜରାସ୍ତାଠୁ ମାତ୍ର ୩୦ ମିଟର ବ୍ୟବଧାନରେ ଅବସ୍ଥିତ ଏହି ବିଦ୍ୟାଳୟ । ପ୍ରତ୍ୟେକ ଦିନ ସେହି ରାସ୍ତା ଦେଇ କୁଜିନେତା ଠାରୁ ଆରମ୍ଭ କରି ରାଜ ନେତା ଓ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ଯାତାୟତ ଲାଗିରହିଛି ସବୁବେଳେ । ହେଲେବି କାହାରି ନଜର ପଡୁନି ଏହି ବିଦ୍ୟାଳୟ ଉପରେ । ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଶିକ୍ଷା ଭିତ୍ତିକ ଯୋଜନାରେ ଶିକ୍ଷାନୁଷ୍ଠାନକୁ ସାମିଲ କରିବାକୁ ଶିକ୍ଷା ବିଭାଗ ନିକଟକୁ ନିର୍ଦ୍ଦେଶ ଦିଆ ଯାଉଥିଲେ ମଧ୍ୟ ତାହା ଠିକ ଜାଗାରେ ପହଞ୍ଚି ପାରୁନାହିଁ । ଫଳରେ କୋଉ ସ୍କୁଲ ଭିତରେ ଆଣ୍ଠୁଏ ପାଣି ତ କୋଉ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଜାଗା ନଥିବାରୁ ପିଲାମାନେ ସ୍କୁଲ ବାରଣ୍ଡାରେ ଠିଆହୋଇ ଖାଉ ଥିବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବାର ଦେଖିବାକୁ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେଠିକାର ଜଣାଶୁଣା ଠିକାଦାରଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ବିଦ୍ୟାଳୟର ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତାର ଅଳିଆ ଆବର୍ଜନା ପାଣି ବିଦ୍ୟାଳୟ ପରିସରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମୁଛି । ସେହିପରି ଅଙ୍ଗନବାଡିର କୁନି କୁନି ପିଲାମାନେ ମଧ୍ୟ ସେହି ଆଣ୍ଠୁଏ ପାଣିରେ ଯାତାୟତ କରୁଥିବାର ଦେଖିବାକୁ ମିଳୁଛି । ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ ବୋଲି ଗ୍ରାମବାସୀ ମଳୟ ବେହେରା, ଚିତ୍ରଭାନୁ ବେହେରା, ହରିହର ପ୍ରଧାନ, ରଜତ ବେହେରା ଓ ଛାଟିଆ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି । ପୂର୍ତ୍ତ ବିଭାଗ ଯଦି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ଆଗାମୀ ଆନ୍ଦୋଳନ ସହ ଅଫିସ ଘେରାଉ କରିବୁ ବୋଲି ଚେତାବନୀ ଦେଇଛନ୍ତି ।