ଶ୍ରୀକ୍ଷେତ୍ରରେ ଗୋଷାଣୀ ପୂଜା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି

0 81

ପୁରୀ : ଶାରଦୀୟ ଦୁର୍ଗାପୂଜାରେ ଗୋଷାଣୀ ଦେବୀଙ୍କୁ ପୂଜା କରିବା ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ବିଭିନ୍ନ ପୂଜା ମଣ୍ଡପରେ ଦେବୀ ଗୋଷାଣୀଙ୍କର ବିଶାଳ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି ଶିଳ୍ପୀମାନେ । ଶାରଦୀୟ ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରର ପରମ୍ପରା ଟିକେ ନିଆରା । ଏଠାରେ ଶହଶହ ବର୍ଷ ତଳୁ ଦୂର୍ଗା ପୂଜା ସମୟରେ ଦେବୀ ଦୁର୍ଗାଙ୍କୁ ଗୋଷାଣୀ ଦେବୀ ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ତେଣୁ ସହରର ବିଭିନ୍ନ ସାହିର ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଏହି ଗୋଷାଣୀ ମାନଙ୍କୁ ଜହ୍ନିଖାଇ, କାକୁଡିଖାଇ, ବାରବାଟି ଓ ଶୂନ୍ୟ ଗୋଷାଣୀ ନାମରେ ପୂଜା କରାଯାଇଥାଏ । ଏହି ମୂର୍ତ୍ତିଗୁଡିକୁ ଶିଳ୍ପୀ ମାନେ ବେଶ୍‌ ନିଷ୍ଠାର ସହ ନିର୍ମାଣ କରୁଛନ୍ତି ।
ପୁରୀରେ ଗୋଷାଣୀ ପୂଜାକୁ ବେଶ୍‌ ଧୂମଧାମରେ ପାଳନ କରାଯାଇଥାଏ । ତେବେ ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ନିରାଡମ୍ବର ଭାବେ ପାଳନ ହୋଇଥିଲା ଏହି ପୂଜା । କିନ୍ତୁ ଚଳିତ ବର୍ଷ ମାଙ୍କ କୃପାରୁ କୋଭିଡ କଟକଣା ନଥିବା ବେଳେ ପୁଣି ପୂର୍ବଭଳି ଆଡମ୍ବର ସହକାରେ ପାଳନ କରାଯିବ ବୋଲି କହିଛନ୍ତି ପୂଜା ମଣ୍ଡପର କର୍ମକର୍ତ୍ତା ମାନେ । ସେପଟେ ପାର୍ବଣ ଋତୁରେ ପୁରୀକୁ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ହେବ । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ସହ ପୋଲିସ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥିବା ବେଳେ ମଣ୍ଡପ ମାନଙ୍କରେ ସିସିଟିଭି ସ୍ଥାପନ ସହ ଶାନ୍ତି ଶୃଙ୍ଖଳାରେ କିଭଳି ପୂଜା ଆୟୋଜନ କରାଯାଇପାରିବ ସେନେଇ ସମସ୍ତ ପ୍ରସ୍ତୁତି କରାଯାଇଛି ।
ମହାସପ୍ତମୀରୁ ବିଭିନ୍ନ ପୂଜା ମଣ୍ଡପରେ ଗୋଷାଣୀ ଦେବୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ । ଏଣୁ ମାଙ୍କର ଆଗମନକୁ ନେଇ ଏବେ ସମସ୍ତଙ୍କର ରହିଛି ଅପେକ୍ଷା ।

hiranchal ad1
Leave A Reply

Your email address will not be published.

thirteen + twelve =