ପୁରୀ : ପୁରୀ ଏମପି ପିନାକୀ ମିଶ୍ରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ନେଇ ରାଷ୍ଟ୍ରପତିଙ୍କୁ ଅଭିଯୋଗ ପତ୍ର ଲେଖିଛନ୍ତି ପୁରୀର ବଳିଆପଣ୍ଡା ନିବାସୀ ସରୋଜ କୁମାର ମିଶ୍ର । ଉକ୍ତ ଚିଠିରେ ସେ ଦର୍ଶାଇଛନ୍ତି ସଂସଦରେ ଯେଭଳି ପୁରୀ ଏମପି ପିନାକୀ ମିଶ୍ର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ର କାର୍ଯ୍ୟ ନେଇ ଯେଉଁଭଳି ତ୍ରୁଟି ପୂର୍ଣ୍ଣ, ଭୁଲ ତଥ୍ୟ ସଂସଦକୁ ସେ ଦେଇଛନ୍ତି ତାହା ଅତ୍ୟନ୍ତ ଦୁଃଖ ଦାୟକ । ପୁରୀ ସହରବାସୀ ୩ ଥର ଏମପି ଭାବେ ପିନାକୀ ମିଶ୍ରଙ୍କୁ ନିର୍ବଚିତ କରିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ଭୁଲ ତଥ୍ୟ ପୁରୀ ବାସୀଙ୍କୁ ଏକ ପ୍ରକାର ଅପମାନ ବୋଲି ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଶ୍ରୀମନ୍ଦିର ଚାରି ପାଖରେ ଯେଭଳି ବିରାଟବିରାଟ ଗର୍ତ ଖୋଳା ଯାଇ ନିର୍ମାଣ ଓ ଖନନ କାର୍ଯ୍ୟ ଚାଲିଚି ତାହା ସ୍ପଷ୍ଟୀକରଣ ନ ଦେଇ ପୁରୀ ଏମପି ସଂସଦରେ କହିଛନ୍ତି କେବଳ ୪ ଟି ଶୌଚାଳୟ ନିର୍ମାଣ ହେଉଛି । ଏଣୁ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ନାମରେ ପ୍ରକୃତ କଣ କାର୍ଯ୍ୟ ଚାଲିଚି , ଶ୍ରୀମନ୍ଦିର ପ୍ରତି ଏହି ପ୍ରକଳ୍ପ କାର୍ଯ୍ୟ ବିପଦ ସୃଷ୍ଟି କରିଛି କି ଏହାର ସ୍ଥିତି ଅନୁଧ୍ୟାନ ପାଇଁ ରାଷ୍ଟ୍ରପତି ମହୋଦୟ ଏକ ସଂସଦୀୟ ଟିମ ପୁରୀ ପଠାଇବାକୁ ପୁରୀ ନିବାସୀ ସରୋଜ କୁମାର ମିଶ୍ର ଅଭିଯୋଗ ପତ୍ରରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ।