ଦୁର୍ବ୍ୟବହାର କରି ସାମ୍ବାଦିକଙ୍କଠୁ ମୋବାଇଲ ଛଡ଼ାଇନେଲେ ଡାକ୍ତର

0 513

ଦଶପଲ୍ଲା : ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ବଢ଼ିଚାଲିଛି ଦୁର୍ବ୍ୟବହାର । କେଉଁଠି ସାମ୍ବାଦିକଙ୍କୁ ମାଡ଼ ମରାଗଲାଣି ତ ପୁଣି କେଉଁଠି ଧମକ । ଏପରିକି କିଛିଦିନ ତଳେ ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଆଜି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ସାମ୍ବାଦିକ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି । ରୋଗୀଙ୍କ ଅଭିଯୋଗ ନେଇ ଖବର ସଂଗ୍ରହ କରୁଥିବା ବେଳେ ଜଣେ ଡାକ୍ତର ଏବଂ କିଛି କର୍ମଚାରୀ ଧମକଚମକ ଦେବା ସହ ତାଙ୍କଠାରୁ ମୋବାଇଲ୍‌ ଛଡ଼ାଇ ନେଇଥିବା ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଦଶପଲ୍ଲାର ଯୁବ ସାମ୍ବାଦିକ ଶ୍ରୀଧର ସାହୁ ଏକ ହତ୍ୟାକାଣ୍ଡ ଘଟଣାର ଖବର ସଂଗ୍ରହ କରିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । ମାତ୍ର ଏହି ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗୀ ଅପେକ୍ଷା କରି ରହିଥିବା ବେଳେ ଡାକ୍ତରଙ୍କ ଦେଖାନଥିବା ରୋଗୀ ଅଭିଯୋଗ ଆଣିଥିଲେ । ରୋଗୀଙ୍କଠାରୁ ଅଭିଯୋଗ ପାଇ ସେ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ସମୟରେ ଜଣେ ଡାକ୍ତର ପହଞ୍ଚି ଯାଇଥିଲେ । ସଂପୃକ୍ତ ଡାକ୍ତର ଓ କିଛି କର୍ମଚାରୀ ତାଙ୍କୁ ଧମକ ଚମକ ଦେବା ସହ ଧକିଆ ମାରିଥିଲେ । ଏପରିକି ତାଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିବା ସେ ଅଭିଯୋଗ ଆଣିଛନ୍ତି । ଏସମ୍ପର୍କରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ସଂପୃକ୍ତ ଡାକ୍ତର ମଧ୍ୟ ଏକ ପାଲଟା ଅଭିଯୋଗ ଆଣିଛନ୍ତି । ମାତ୍ର ଏ ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନବକିଶୋର ସାହୁଙ୍କ ମତାମତ ପାଇଁ ଫୋନ୍‌ କରିଥିବା ବେଳେ ସେ ଫୋନ୍‌ ଗ୍ରହଣ କରିନାହାନ୍ତି । ଏପଟେ କିଛିଦିନ ତଳେ ଦଶପଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରୁ କିଛି ଦୁର୍ନୀତି ହଟାଇବାକୁ ଯାଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ନିଆଁ ଲଗାଇ ଦିଆଯାଇଥିବା ବେଳେ ଲଗାତର ଭାବେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଚାଲିଛି । ସାମ୍ବାଦିକଙ୍କ ନାଁ ଶୁଣିଲେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଏଭଳି ବିଳିବିଳାଉଥିବା କୁହାଯାଉଛି । ଏପଟେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ସାମ୍ବାଦିକଙ୍କ ପକ୍ଷରୁ ଦାବି କରାଯାଇଛି ।

hiranchal ad1
Leave A Reply

Your email address will not be published.

twenty − sixteen =