କନ୍ୟାଶ୍ରମରେ ଅସୁରକ୍ଷିତ ଅନ୍ତେବାସୀ ଛାତ୍ରୀ, ପତ୍ନୀଙ୍କ ଅସୁସ୍ଥତା ପାଇଁ ଛାତ୍ରୀ ନିବାସରେ କାମ କରୁଛନ୍ତି ସ୍ୱାମୀ

0 315

ଦଶପଲ୍ଲା : ଛାତ୍ରୀ ନିବାସରେ କୁକ କମ୍‌ ଆଟେଣ୍ଡାଣ୍ଟ ଭାବେ ନିଯୁକ୍ତି ପାଇଛନ୍ତି ପତ୍ନୀ । ହେଲେ କାମ କରୁଛନ୍ତି ସ୍ୱାମୀ । ଦିନେ ନୁହେଁ କି ମାସେ ନୁହେଁ । ଉପରିସ୍ଥ ଅଧିକାରୀଙ୍କ ଜାଣତରେ ବର୍ଷବର୍ଷ ଧରି ଚାଲିଛି ଏଭଳି କାର୍ଯ୍ୟ । ଯାହାକି ଛାତ୍ରୀ ନିବାସ ମଧ୍ୟରେ ଅନ୍ତେବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ଅଜବ୍‌ ଘଟଣା ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ ଅଧୀନସ୍ଥ ଟାକରା ଆଶ୍ରମ ବିଦ୍ୟାଳୟରେ । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ବିଦ୍ୟାଳୟରେ ହଷ୍ଟେଲରେ ରୋଷେଇ କରିବା ଏବଂ ଅନ୍ତେବାସୀ ଛାତ୍ରୀଙ୍କ ଦେଖାଶୁଣା ପାଇଁ କୁକ୍‌ କମ୍‌ ଆଟେଣ୍ଡାଣ୍ଟ ଭାବେ କୁମାରୀ ମଳିକ ନିଯୁକ୍ତି ପାଇଛନ୍ତି । ମାତ୍ର ତାଙ୍କ ଅସୁସ୍ଥତା ପାଇଁ ସେ କିଛି ବର୍ଷ ହେଲା ବିଦ୍ୟାଳୟକୁ ଆସୁନାହାଁନ୍ତି । ଯାହାକି ତାଙ୍କ ସ୍ଥାନରେ ତାଙ୍କ ସ୍ୱାମୀ କବିରାଜ ମଳିକ ଆସି ହଷ୍ଟେଲ ମଧ୍ୟରେ ବିଭିନ୍ନ କାର୍ଯ୍ୟ କରି ଆସୁଛନ୍ତି । ଏଭଳି ପ୍ରାୟ ୨/୩ ବର୍ଷ ହେଲା ଚାଲି ଆସିଥିବା ସ୍ଥାନୀୟ କିଛି ଅଧିବାସୀ ନିଜ ନାମକୁ ଗୋପନ ରଖି ପ୍ରକାଶ କରିଛନ୍ତି । ବଡକଥା ହେଉଛି ଏକ ଛାତ୍ରୀ ନିବାସ ମଧ୍ୟରେ ଜଣେ ପୁରୁଷ ବ୍ୟକ୍ତିଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ହେଉ,କି ବିଭାଗୀୟ ଅଧିକାରୀ ମାନେ କାମ କରିବା ପାଇଁ କିଭଳି ଓ କେଉଁ ଆଇନ ବଳରେ ପ୍ରଶ୍ରୟ ଦେଇଛନ୍ତି ତାହା ଏବେ ତଦନ୍ତ ସାପେକ୍ଷ । ବିଭିନ୍ନ ସମୟରେ ଡବ୍ଲୁଇଓ ହେଉ କି ଡିଡବ୍ଲୁଇଓ ତଦନ୍ତ ପାଇଁ ବିଦ୍ୟାଳୟକୁ ଆସୁଥିବା ବେଳେ ସେ ଏହା ଜାଣୁଥିଲେ ନା ଜାଣି ଅଜଣା ସାଜୁଥିଲେ ତାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ଏଠାରେ ନୁହେଁ ଦଶପଲ୍ଲା ବ୍ଲକର ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ବହୁ ଛାତ୍ରଛାତ୍ରୀ ଶୋଷଣର ଶିକାର ହୋଇ ଆସୁଥିବା ଅଭିଯୋଗ ହୋଇଆସୁଛି । କେଉଁଠି ନିମ୍ନମାନର ଖାଦ୍ୟପେୟ ତ ପୁଣି କେଉଁଠି ଆସୁଥିବା ସରକାରୀ ଯୋଜନାକୁ ହରିଲୁଟ୍‌ କରି ନିଆଯାଉଛି । ଏଭଳି ଅନେକ ଘଟଣା ପୂର୍ବରୁ ଘଟି ଯାଇଥିବା ବେଳେ ବାହାରେ , ମୁହଁ ନଖୋଲିବା ପାଇଁ ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଇ ରଖାଯାଉଛି । ମାତ୍ର ଘଟଣା ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ସେ ଏବେ କାର୍ଯ୍ୟରେ ଯୋଗ ଦେଇଥିବାରୁ ସେ ଆଗରୁ ଆସୁଥିବା ନେଇ ଶୁଣିଛନ୍ତି । ଏପରିକି ଏବେ ଦିନେ ସେ ବିଦ୍ୟାଳୟକୁ ଆସିଥିବାରୁ ତାଙ୍କୁ ତାଗିଦ୍‌ କରାଯିବା ସହ ଆଉ କେବେ ବି ନ ଆସିବାକୁ କୁହାଯିବା ସହ ଏହାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ଏ ସମସ୍ୟାର ସୁସମାଧାନ ପାଇଁ ଜିଲ୍ଲାପାଳ ବିଶେଷ ଦୃଷ୍ଟିଦେବା ଆବଶ୍ୟକ ହୋଇପଡିଛି ।

hiranchal ad1
Leave A Reply

Your email address will not be published.

five × three =