ଶ୍ରୀକ୍ଷେତ୍ର ଐତିହ୍ୟ କରିଡର ନିର୍ମାଣ ନେଇ ଜିଲ୍ଲାପାଳଙ୍କ ସୂଚନା,ଏନଏମଏ ଓ ଏଏସଆଇର ଅନୁମତିରେ ହେଉଛି କାର୍ଯ୍ୟ

0 197

ପୁରୀ,୭/୩ : ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଐତିହ୍ୟ କରିଡ଼ର ନିମନ୍ତେ ଏନଏମଏ ଓ ଏଏସଆଇର ଅନୁମତି ମିଳିସାରିଛି । ଫଳରେ ଐତିହ୍ୟ କରିଡ଼ର ନିର୍ମାଣ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିଛି । ଯାତ୍ରୀଙ୍କ ପାଇଁ ଶୌଚାଳୟ,କ୍ଲୋକ ରୁମ୍‌,ଫାଷ୍ଟ-ଏଡ ସେଣ୍ଟର,ପୋଲିସ ଷ୍ଟେସନ ନିର୍ମାଣ ପାଇଁ ମିଳିଛି ଏନଓସି । ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ସୂଚନା ଦେଇଛନ୍ତି ।
ପୁରୀ ଐତିହ୍ୟ ସହର ହେବା ଦ୍ୱାରା ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ତଥା ତୀର୍ଥଯାତ୍ରୀମାନେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇପାରିବେ । ଗତବର୍ଷ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଆଗାମୀ ଦେଢବର୍ଷ ଭିତରେ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ୩୩୧ କୋଟି ୨୮ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି । ଟାଟା ପ୍ରୋଜେକ୍ଟ ଏହି କାର୍ଯ୍ୟର ଦାୟିତ୍ୱ ନେଇଥିବା ବେଳେ ପ୍ରଥମେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ସହ ପରିକ୍ରମା ମାର୍ଗର କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ବେଆଇନ ନିର୍ମାଣ ପ୍ରସଙ୍ଗ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ନିକଟରେ ବିକ୍ଷୋଭ କରାଯାଇଛି । ଜାତୀୟ କୀର୍ତ୍ତିରାଜ ସଂରକ୍ଷଣ ପ୍ରାଧିକରଣ ଓ ଆମସାର ଆଇନର ୧୯୫୮ ୨୦(କ) ଅନୁଯାୟୀ, ମହାନ କୀର୍ତ୍ତିରାଜର ୧୦୦ ମିଟର ନିଷିଦ୍ଧାଞ୍ଚଳ ଅଟେ ଏହା ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ,ମାତ୍ର ରାଜ୍ୟ ସରକାର ଜୋରଜବରଦସ୍ତି କୌଣସି ଅନୁମତି ନ ନେଇ ୭୫ ମିଟର ଭିତରେ କଂକ୍ରିଟ ନିର୍ମାଣ କରିଚାଲିଛନ୍ତି । ପ୍ରତ୍ନତତ୍ତ୍ୱ ବିଭାଗ ଡି.ଜି ବିଦ୍ୟାବତୀ ଦେବି ଆସି ଏହି ନିର୍ମାଣ କାର୍ଯ୍ୟ ବେଆଇନ ବୋଲି କହିବା ସେ ୍ୱ ରାଜ୍ୟ ସରକାର କାର୍ଯ୍ୟ ରୋକିବାକୁ କୌଣସି ପଦକ୍ଷେପ ନେଉନାହିଁ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣିଥିଲା । ଶ୍ରୀମନ୍ଦିର ଦକ୍ଷିଣ ଓ ପଶ୍ଚିମ ଦ୍ୱାରରେ ଡ୍ରିଲ ଓ ବଡ ବଡ ମେସିନ ଲଗାଯାଇ ବିରାଟକାୟ ଗର୍ତ୍ତ ସୃଷ୍ଟି କରାଯାଇଛି । ଏହା ଶ୍ରୀମନ୍ଦିର ପ୍ରତି ବିପଦ ବୋଲି ବିଭିନ୍ନ ମହଲରେ ଆଲୋଚନା ଚାଲିଛି । ବିନା ଏଏସ୍‌ଆଇ ଓ ଏନଏମଏର ଅନୁମୋଦନରେ ଏହି କାର୍ଯ୍ୟ ହେବା ଉଚିତ୍‌ ନୁହେଁ ବୋଲି ପୁରୀ ବିଧାୟକ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏହି ପରିପ୍ରେକ୍ଷୀରେ,ଐତିହ୍ୟ କରିଡ଼ର ନିର୍ମାଣ ଆରମ୍ଭରୁ ଉପୁଜିଥିବା କେଁ ଓ ବିବାଦକୁ ନେଇ ସ୍ପଷ୍ଟ କରିଛନ୍ତି ପୁରୀ ଜିଲ୍ଲାପାଳ ।
ଜିଲ୍ଲାପାଳ କହିଛନ୍ତି ଯେ ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଐତିହ୍ୟ କରିଡ଼ର ନିମନ୍ତେ ଏନଏମଏ ଓ ଏଏସଆଇର ଏନଓସି ମିଳିସାରିଛି । ଯାତ୍ରୀଙ୍କ ପାଇଁ ଶୌଚାଳୟ,କ୍ଲୋକ ରୁମ୍‌,ଫାଷ୍ଟ-ଏଡ ସେଣ୍ଟର,ପୋଲିସ ଷ୍ଟେସନ ନିର୍ମାଣ ପାଇଁ ମିଳିଛି ଏନଓସି । ଏଥିସହ ଏଏସଆଇକୁ ଅନୁମତି ଦେବା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଐତିହ୍ୟ କରିଡ଼ର ନିର୍ମାଣରେ କଣ କଣ କରାଯିବ, ଏ ନେଇ ସେବାୟତ,ବୁଦ୍ଧିଜୀବୀ ଓ ସଚେତନ ନାଗରିକଙ୍କୁ ବୁଝାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପରିକ୍ରମା ପ୍ରକଳ୍ପରେ ଯାତ୍ରୀ ସେବା ଓ ଐତିହ୍ୟ ପରିକ୍ରମା ବିକାଶ ସହ ଏହାକୁ ନଅଟି ଜୋନରେ ବିଭକ୍ତ କରାଯାଇଛି । ୬ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ,ଦର୍ଶନାର୍ଥୀଙ୍କୁ ଯାବତୀୟ ସୁବିଧା ସୁଯୋଗ ପ୍ରଦାନ ଓ ପରିକ୍ରମା ପ୍ରକଳ୍ପ ପରିସରରେ ରହିଥିବା ୧୫ଟି ପୁରାତନ ମଠ ସମୁହର ପୁନଃନିର୍ମାଣ ଆଦି ବ୍ୟବସ୍ଥା ରହିବ । ତେବେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଇଲାକା ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୧୯ ବାତ୍ୟା ଫନିରେ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଶ୍ରୀହୀନ ହୋଇଯାଇଥିଲା । ତେବେ ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ,ତାହା ଏବେ ମହାପ୍ରଭୁଙ୍କ ଆଶୀର୍ବାଦରୁ ବାସ୍ତବ ରୂପ ନେଉଛି । ସୃଷ୍ଟି ହୋଇଥିବା ବିବାଦ ଓ ଦ୍ୱନ୍ଦ ଦୂର ପାଇଁ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ ।

hiranchal ad1
Leave A Reply

Your email address will not be published.

five × 2 =