ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ କଟକଣା

0 87

ପୁରୀ : ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା । ତେବେ ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ କଟକଣା । ଆଜି ଅର୍ଥାତ୍‌ ଶୁକ୍ରବାର ରାତି ୧୦ ଟାରୁ ଆସନ୍ତାକାଲି ଶନିବାର ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଶେଷ ପର୍ଯ୍ୟନ୍ତ ଏହି ଟ୍ରାଫିକ କଟକଣା ଲାଗୁ କରିଛି ପୁରୀ ପୋଲିସ । ଭକ୍ତଙ୍କ ଶୃଙ୍ଖଳିତ ଓ ସୁବିଧାରେ ଯାତାୟତ ପାଇଁ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଦେବସ୍ନାନ ପୂର୍ଣ୍ଣିମା ଦିନ ପୁରୀ, ଭୁବନେଶ୍ୱର ଓ କଟକ ମଧ୍ୟରେ ନିୟମିତ ଚଳାଚଳ କରୁଥିବା ବସ୍‌ ପାଇଁ କୌଣସି କଟକଣା ଜାରି କରାଯାଇନଥିବା ବେଳେ ସବୁଦିନ ଭଳି ପୁରୀ ବସଷ୍ଟାଣ୍ଡରୁ ବସ୍‌ ଗୁଡ଼ିକ ଯାତାୟତ କରିପାରିବ । କିନ୍ତୁ ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଆସୁଥିବା ବସ୍‌ ଗୁଡ଼ିକର ଆବଶ୍ୟକତା ଅନୁଯାୟୀ ପଥ ପରିବର୍ତ୍ତନ କରାଯାଇପାରେ । ସେହିପରି ପୁରୀ ଟାଉନ୍‌ ସଟଲ୍‌ ବସ୍‌ ଓ ଅଟୋ ରିକ୍ସାକୁ ମେଡିକାଲ୍‌ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଛି । ପ୍ରୋଟୋକଲ ଯାନ ଗୁଡିକୁ ଗଦାଧର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯିବାର ଅନୁମତି ଦିଆଯାଇଥିବା ବେଳେ ସେଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପାର୍କିଂ ପରେ ସେମାନେ ବ୍ୟାଟେରୀ ଚାଳିତ ଯାନର ସୁବିଧା ପାଇପାରିବେ । ତେବେ ଜେବିପିସି ଓ ପୁରୁଣା ଜେବିପିସି ରେ ପାର୍କିଂ ସୁବିଧା ପାଇବାପାଇଁ ଭୁବନେଶ୍ୱର ଆଡ଼ୁ ଆସୁଥିବା ହାଲୁକା ମୋଟର ଯାନ ହରେକୃଷ୍ଣପୁର ଛକ ଠାରୁ ଶ୍ରୀସେତୁ ଆଡ଼କୁ ସ୍ଥାନାନ୍ତରିତ ହୋଇପାରିବ । ଜେବିପିସି ପାର୍କିଂ ପୂରଣ ହେବା ପରେ ହରେକୃଷ୍ଣପୁର ଛକ ଠାରୁ ଜେଲ୍‌ ରୋଡରେ ପାର୍କିଂ ନିମନ୍ତେ ଅଠରନଳା ଆଡକୁ ଯିବାକୁ ଅନୁମତି ଦିଆଯିବ । ବ୍ରହ୍ମଗିରିରୁ ଆସୁଥିବା ହାଲୁକା ମୋଟର ଯାନ ଗୁଡିକ ଯାତ୍ରିକା, ବ୍ଲୁ ଫ୍ଲାଗ ବେଳାଭୂମି ଏବଂ ହୋଟେଲ ନୀଳାଚଳ ଅଶୋକରେ ପାର୍କିଂ ନିମନ୍ତେ ମଙ୍ଗଳା ଘାଟ ଛକ ଠାରେ ପଥ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ଏସପି । ସେହିପରି ଦୁଇଚକିଆ ଗାଡ଼ି ଗୁଡ଼ିକ ବଡ଼ଦାଣ୍ଡ ରେ ନାୟକ ପ୍ଲାଜା ପର୍ଯ୍ୟନ୍ତ ଥିବା ପାର୍କିଂ ଜୋନ୍‌ ରେ ନିଜର ଗାଡ଼ି ପାର୍କିଂ କରିପାରିବେ ।
ସେହିପରି କୋଣାର୍କ ପାର୍ଶ୍ୱରୁ ଆସୁଥିବା ହାଲୁକା ମୋଟର ଯାନ ଗ୍ରିଡ୍‌ ଷ୍ଟେସନ ଛକ ଠାରୁ ବ୍ଲୁ ଫ୍ଲାଗ ବେଳାଭୂମି ଏବଂ ହୋଟେଲ ନୀଳାଚଳ ଅଶୋକରେ ପାର୍କିଂ କରିବେ । ତେବେ ଏହି ସବୁ ପାର୍କିଂ ସ୍ଥାନ ପୂର୍ଣ୍ଣ ହେବା ପରେ ସେହି ଅନୁସାରେ ପରିବର୍ତ୍ତନ କରାଯିବ ।? ମାର୍କେଟ ଛକ ଠାରୁ ଜଗା ବଳିଆ ଲଜ୍‌ ଏବଂ ମନ୍ଦିର ଚତୁଃପାର୍ଶ୍ୱରେ ନୋ ଭେହିକିଲ୍‌ ଜୋନ୍‌ ଘୋଷଣା କରାଯାଇଛି । ତେବେ ମାର୍କେଟ ଛକ ଠାରୁ କେବଳ ପାସ୍‌ ଥିବା ଯାନ, ଜରୁରୀକାଳୀନ ଯାନ, ଅଫିସିଆଲ୍‌ ଯାନକୁ ଆଗକୁ ଯିବା ପାଇଁ ଅନୁମତି ରହିଛି । ପୋଲିସ ପକ୍ଷରୁ ଯେକୌଣସି ସହାୟତା ଆବଶ୍ୟକ ହୁଏ ତେବେ ୨୪ ଘଣ୍ଟିଆ ହେଲ୍ପଲାଇନ ୬୩୭୦୯୬୭୧୦୦ ଏବଂ ୧୧୨ ନମ୍ବର?ରେ ଯୋଗାଯୋଗ କରିପାରିବେ ବୋଲି କହିଛନ୍ତି ଏସପି । ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପୋଲିସ ପ୍ରଶାସନ । ଭକ୍ତମାନେ ମାର୍କେଟ ଛକଠାରୁ ଆରମ୍ଭ ହୋଇଥିବା ବ୍ୟାରିକେଡ଼ରେ ପ୍ରବେଶ କରି ଶ୍ରୀକୃଷ୍ଣ ସିନେମା ହଲ୍‌ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦିଗରେ ଆସିବେ । ଶ୍ରୀଜଗନ୍ନାଥ ରିସେପସନ୍‌ ସେଣ୍ଟର ଠାରେ ପହଞ୍ଚିବା ପରେ ଯାଞ୍ଚ ପ୍ରକ୍ରିୟାରେ ସାମିଲ୍‌ ହୋଇ ଦୋଳବେଦୀ କୋଣ ଠାରେ ଥିବା ଷ୍ଟିଲ୍‌ ବ୍ୟାରିକେଡ଼ ରେ ପ୍ରବେଶ କରିବେ । ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାରରେ ପ୍ରସ୍ଥାନ କରିବେ । ଟିକେଟ ଧାରୀ ଭକ୍ତମାନେ ପହଣ୍ଡି ଦର୍ଶନ ନିମନ୍ତେ ପ୍ରାତଃ ସମୟରେ ଧାଡ଼ିରେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ । ତେବେ ପହଣ୍ଡି ସରିବା ପରେ ଦକ୍ଷିଣ ଦର ଦ୍ୱାର ଦେଇ ପ୍ରବେଶ ବନ୍ଦ ହୋଇଯିବ ।
ମହାପ୍ରଭୁଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ମହାପ୍ରଭୁଙ୍କ ଏହି ଯାତ୍ରାକୁ ସଫଳ କରିବା ପାଇଁ ପୁରୀ ସହରବାସୀ ଓ ସମସ୍ତ ଭକ୍ତ, ଜଗନ୍ନାଥ ପ୍ରେମୀଙ୍କ ସହଯୋଗ ଲୋଡିଛନ୍ତି ଏସପି ।

hiranchal ad1
Leave A Reply

Your email address will not be published.

20 + nine =