ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ,୧୫ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

0 80

ପୁରୀ : ହରିଶୟନ ଏକାଦଶୀ ତିଥିରେ ରଥ ଉପରେ ଶ୍ରୀଜୀଉମାନଙ୍କର ବଡତଢା଼ଉ ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ସକାଳୁ ତିନିରଥ ଉପରେ ଦୈନଦିନ ନୀତି କରାଯାଇଥିବା ବେଳେ ମଧ୍ୟାହ୍ନ ଧୂପ ଓ ମଇଲମ ନୀତି ପରେ ମହଣ ମହଣ ସୁନାରେ ବିଭୂଷିତ ହୋଇଥିଲେ ଶ୍ରୀଜିଉ । ସେଥିପାଇଁ ଆଜି ସକାଳୁ ସକାଳୁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇ ଉଠିଥିବା ବେଳେ ପୁରୀକୁ ମଧ୍ୟ ଲୋକଙ୍କ ଆଗମନୀ ବଢ଼ିଚାଲିଥିଲା ।
ଆଜି ରଥ ଉପରେ ଅନ୍ୟାନ୍ୟ ନିତି ବଢି ମଧ୍ୟାହ୍ନ ଧୂପ,ମଇଲମ ପରେ ଅପରାହ୍ନରେ ମେକାପ ସର୍ବାଙ୍ଗ ନୀତି ସମ୍ପର୍ଣ୍ଣ ହେବା ପରେ ଅପରାହ୍ନ ୫ଟାରୁ ୫ଟା୪୫ ମଧ୍ୟରେ ଠାକୁର ମାନଙ୍କୁ ସୁନାବେଶରେ ସଜିତ କରାଯାଇଥିଲା । ରାତ୍ରି ୧୧ଟା ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଥିଲେ । ବେଶ ଓଲାଗି ପରେ ବଡସିଂହାର ବେଶ ଓ ରାତ୍ର ପହୁଡ ହୋଇଥିଲା । ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଥିବା ବେଳେ ମାର୍କେଟ ଛକରୁ ବ୍ୟାରିକେଡ କରାଯାଇଛି । ଲୋକମାନେ ମାର୍କେଟ ଛକରୁ ବ୍ୟାରିକେଡରେ ଆସି ବେଶ ଦେଖିବା ପରେ ତିନିରଥ ପଛପଟ ରାସ୍ତା ଦେଇ ପ୍ରସ୍ତାନ କରିବାର ବ୍ୟବସ୍ତା କରାଯାଇଛି । ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡତଢାଉ ବେଶ ଅନ୍ୟତମ । ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି,ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା ଓ ଝୋବାକଣ୍ଠି ଆଦି ପରିଧାନ କରିଥିଲେ । ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି, ସେବତୀ ମାଳି, ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିଥିଲେ । ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, କମରପଟି, କର୍ଣ୍ଣକୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେଇଥିଲେ ।
୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିଥିଲେ ଶ୍ରୀଜିଉ । ଏହି ମନମୁଗ୍ଧକର ବେଶ ବର୍ଷକରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ରାତି ସାରା ରଥ ନିକଟରେ ଶ୍ରଦ୍ଧାଳୁ ମାନଙ୍କର ଗହଳି ଲାଗି ରହିଥିଲା । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଏସପି ପିନାକ ମିଶ୍ରଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀ ଗଣ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen + nine =