ଛତିଶା ନିଯୋଗ ବୈଠକ

0 62

ପୁରୀ: ଏପ୍ରିଲ ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଆଜି ଅପରାହ୍ନରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟ ଠାରୁ ଆରମ୍ଭ ହେବାକୁଥିବା ଚନ୍ଦନଯାତ୍ରା ପାଇଁ ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ନୀତି ସବ୍ କମିଟିରେ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶାନିଯୋଗ ବୈଠକରେ ଅନୁମୋଦନ କରାଯାଇଛି। ଏହାସହ ନୀଳାଦ୍ରି ମହୋଦୟ, ନୃସିଂହ ଜନ୍ମ,,ଭଉଁରୀ ତିଥି ପାଇଁ ମଧ୍ୟ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଭକ୍ତମାନେ କିଭଳି ସୁନ୍ଦର ଭାବେ ଦର୍ଶନ କରିପାରିବେ ସେ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ପ୍ରାତଃ ୩ଟାରେ ଦ୍ୱାରଫିଟା ହୋଇ ନୀତି ବଢିବା ପରେ ଅପରାହ୍ନ ୩ଟା ରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩.୩୦ ରେ ବିମାନକୁ ଦିଅଁ ବିଜେ, ଅପରାହ୍ନ ୪ଟା ରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ। ରାତ୍ର ୧୦ଟା ରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବା ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। ତେବେ ସମସ୍ତ ନୀତିକାନ୍ତି ଯେଭଳି ଶୃଙ୍ଖଳିତ ଭାବେ ସମ୍ପାଦନା ହୋଇପାରିବ ସେନେଇ ସମସ୍ତ ସେବାୟତ ନିଯୋଗଙ୍କ ସହଯୋଗ ଲୋଡିଥିଲେ ମୁଖ୍ୟ ପ୍ରଶାସକ। ସେହିପରି ଗତବର୍ଷ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଣୁ ଚଳିତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ଯେଭଳି କୌଣସି ଅଘଟଣ ନଘଟେ ସେନେଇ ଆତସବାଜି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଚନ୍ଦନଯାତ୍ରା ଯୋଗୁଁ ଭକ୍ତ ଓ ସେବାୟତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇନସ୍ୟୁରାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଚନ୍ଦନଯାତ୍ରା ସମୟରେ ଫାଷ୍ଟ ଏଡ୍ ବ୍ୟବସ୍ଥା କରାଯିବ। ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ଜାରି ରହିଛି। ମରାମତି କାର୍ଯ୍ୟ ଶେଷ ହେବା ପରେ ଭିତର ଓ ବାହାର ରତ୍ନଭଣ୍ଡାରର କବାଟକୁ ସୁନା ଓ ରୂପା ଛାଉଣୀ କରାଯିବା ନେଇ ଯୋଜନା ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ବିଭିନ୍ନ ସେବାୟତ ନିଯୋଗର ମତାମତ ନିଆଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଆନ୍ୟପଟେ ନୂତନ ପରିଚାଳନା କମିଟି ଗଠନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ହୋଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ। ବୈଠକ ଶେଷ ହେବା ପରେ ସେବାୟତ ପରିବାରର ବିଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ବିନୀତ ଅଗ୍ରୱାଲ, ଛତିଶା ନିଯୋଗର ସେବାୟତ ସଦସ୍ୟଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ

hiranchal ad1
Leave A Reply

Your email address will not be published.

twelve + one =