ରାଜ୍ୟସଭାରେ ଶପଥ ନେଲେ ମାନସ ଓ ସୁଲତା

0 70

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବିଜେଡି ନେତା ତଥା ଗଣମାଧ୍ୟମ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ଓ ବିଜେଡି ନେତ୍ରୀ ତଥା ଦଳର ପ୍ରବକ୍ତା ସୁଲତା ଦେଓ ଆଜି ରାଜ୍ୟସଭାରେ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସେମାନଙ୍କୁ ଶପଥ କରାଇଥିଲେ । ଉଭୟ ନିଜ ମାତୃଭାଷା ଓଡିଆରେ ଶପଥ ପାଠ କରିଥିଲେ । ଓଡିଶାରୁ ନିର୍ବାଚିତ ହୋଇଥିବା ଅନ୍ୟତମ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ଓଡିଶାରେ ଭାବି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାରୁ ସେ ଶପଥ ନେଇପାରିନାହାନ୍ତି । ଆସନ୍ତା ସପ୍ତାହରେ ସେ ଶପଥ ନେଇ ପାରନ୍ତି । ଉଲ୍ଲେଖଯୋଗ୍ୟ ଓଡିଶାରୁ ନିର୍ବାଚିତ ହୋଇଥିବା ଏହି ୩ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ୬ବର୍ଷ ଅବଧି ରହିଛି । ମାନସ ଓ ସୁଲତା ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ଡକ୍ଟର ସସ୍ମିତ ପାତ୍ର ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ତେବେ ଓଡିଶାରୁ ଖାଲି ହୋଇଥିବା ୪ର୍ଥ ଆସନ ଟିରେ ଅର୍ଥାତ ସୁବାସ ସିଂଙ୍କ ସ୍ଥାନରେ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିବା ଆଦିବାସୀ ନେତା ନିରଞ୍ଜନ ବିଶି ଆସନ୍ତା ୪ବର୍ଷ ପାଇଁ କାର୍ଯ୍ୟ କରିବେ । ପ୍ରକାଶଯୋଗ୍ୟ ମାନସ ରଞ୍ଜନ ମଙ୍ଗରାଜ ସାଂସଦ ଭାବେ ନିର୍ବାଚିତ ହେବା ପରେ ବିଜେଡିର ସାଧାରଣ ସମ୍ପାଦକ ତଥା ଗଣମାଧ୍ୟମ ଉପଦେଷ୍ଟା ପଦରୁ ଇସ୍ତଫା ଦେଇଛନ୍ତି । ଏବେ ମଧ୍ୟ ସେ ଗଣମାଧ୍ୟମ ବ୍ୟାପାର ଦାୟିତ୍ୱରେ ଅଛନ୍ତି । ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ଶ୍ରୀ ମଙ୍ଗରାଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦଳର ସଙ୍ଗଠନ ପାଇଁ କାର୍ଯ୍ୟକରି ବିଶ୍ୱାସ ଭାଜନ ହେବା ପରେ ଏହି ପୁରସ୍କାର ତାଙ୍କୁ ମିଳିଛି । ସେହିଭଳି ସୁଲତା ଜଣେ ରାଜନୈତିକ ପରିବାରରୁ ଆସିଥିବା ବେଳେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅତି ଘନିଷ୍ଠତା ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ସେ ମଧ୍ୟ ଦଳର ପ୍ରବକ୍ତା ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve + ten =