ଜହ୍ନାପଙ୍କ: ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ନଂ. ୫୭ର ତେଲିବନ୍ଧ କେନାଲ ନିକଟରେ ଗତକାଲି ଅପରାହ୍ନ ପ୍ରାୟ ୫ଟାରେ ଏକ କାର ବାଇକ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଆରୋହୀ ବୀରମହାରାଜପୁରର ପ୍ରକାଶ ନାଏକ ଓ ଝାରକୁମୁଣ୍ଡାନିବାସୀ ଭଗବାନ ମଲ୍ଲିକ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି । ବାଇକଟି ଭାଙ୍ଗି ଚୁର୍ମାର ହୋଇଛି । ସ୍ଥାନୀୟ ଲୋକମାନେ ୧୦୮ ଆମ୍ବୁଲାନ୍ସରେ ଗୁରୁତର ଆହତଙ୍କୁ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ । ତେବେ ଦୁର୍ଘଟଣା ଘଟାଇଥିବା କାରର ଆଗ ପାର୍ଶ୍ୱର ଡ଼ାହାଣ ଚକ ଫାଟିଯିବାରୁ ରାସ୍ତା ମଝିରେ ଅଟକି ରହିଥିଲା । ଜହ୍ନାପଙ୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ ଯେ ଆଜି ଅପରାହ୍ନରେ ସାହାଜପାଲ ପଟୁ ବାଇକ ଆରୋହୀ ନଂ ଓଡି ୩୧ ଜି ୨୨୬୮ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା କାର ନଂ ଓଡି ୩୩ ଏ ଏଫ ୧୦୦୯ ପ୍ରଥମେ ଡ଼ାହାଣ ପାର୍ଶ୍ୱରେ ଠିଆହୋଇଥିବା ଏକ ମାଲବାହୀ ଟ୍ରକକୁ ବାଡେଇ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିବା ଯୋଗୁଁ ଦୁର୍ଘଟଣା ଘଟିଥିଲା । ତେବେ ଉକ୍ତ କାରଟି ବୌଦ୍ଧର ବୋଲି ଜଣାପଡିଛି ।