ଗର୍ଭଗୃହରୁ ପଥର ଖସିବା ଘଟଣା; ପଥର ନୁହେଁ ପ୍ଲାଷ୍ଟର ଚୂନ ଖଣ୍ଡ : ଜିଲ୍ଲାପାଳ

0 102

ପୁରୀ : ଶ୍ରୀମନ୍ଦିରରୁ କୌଣସି ପଥର ଖସିନାହିଁ । ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ୱରୁ ଲାଇମ୍‌ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି । ଶ୍ରୀମନ୍ଦିର କମାଣ୍ଡାରଙ୍କ ରିପୋର୍ଟ ଆଧାରରେ ଗତକାଲି ସକାଳ ଧୂପ ପରେ ଏହି ଘଟଣା ଘଟିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ଜଣାଯାଇଛି । ଏଏସଆଇର ଏକ ଟିମ୍‌ ଶ୍ରୀମନ୍ଦିର ଯାଇ ସ୍ଥିତି ଯାଞ୍ଚ କରିଛନ୍ତି ।
ଶ୍ରୀମନ୍ଦିର ଗର୍ଭଗୃହରେ ଶ୍ରୀବଳଭଦ୍ର ବିରାଜମାନ କରୁଥିବା ରତ୍ନସିଂହାସନ ପଛ ପାର୍ଶ୍ୱରୁ ଗତକାଲି ସକାଳ ଧୂପ ସରିବା ପରେ ଖଣ୍ଡ ଖଣ୍ଡ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଥିଲା । ଜେଟିପି ଏହା ଦେଖି ଖସି ପଡ଼ିଥିବା ଚୂନ ଖଣ୍ଡ ଗାରଦରେ ଜିମା ଦେବା ସହ କମାଣ୍ଡରକୁ ସୂଚନା ଦେଇଥିଲେ । ପ୍ରାୟ ଏକ କିଲୋରୁ ଦେଢ କିଲୋଗ୍ରାମ ଓଜନର ଚୂନ ଖଣ୍ଡ ଖସି ପଡ଼ିଥିଲା । ଏହି ଚୂନଖଣ୍ଡ ବଡଠାକୁର ଶ୍ରୀବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଥିଲା ।ଏହି ଘଟଣାକୁ ସେବାୟତ ନିନ୍ଦା କରିବା ସହ ଏଏସଆଇର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତକାଲି ପୂର୍ବାହ୍ନ ପ୍ରାୟ୧୧ଟା ସମୟରେ ଚୂନ ଖଣ୍ଡ ଠାବ ହେବା ସହ ଗାରଦରେ ଜିମା ଦିଆଯାଇଥିଲା । ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି ଆଘାତ ଲାଗିନାହିଁ । ଏହି ଚୂନଖଣ୍ଡ ଯୋଗୁଁ ଶ୍ରୀଅଙ୍ଗ ପ୍ରତି କୌଣସି ବିପଦ ନ ଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସ୍ପଷ୍ଟ କରିଛନ୍ତି । ଗର୍ଭଗୃହର କାନ୍ଥ ଏବଂ ପ୍ରଥମ ମହଲାରେ କେବଳ ବଡବଡ ପଥର ଯୋଡେଇ ହୋଇଛି । ତାପରେ ପ୍ରଥମ ମହଲାର ଛାତରେ ଲୁହା ଚଦର ପ୍ୟାକିଂ ରହିଛି । ଦୁଇଟି ଏକଜିଟ୍‌ ଫ୍ୟାନ ଲାଗିଛି । ଫଳରେ ସେଠାରେ ଆଦ୍ରତା ଅଧିକ ରହୁଛି । ଏହି କାରଣରୁ ଲାଇମ ପ୍ଲାଷ୍ଟର ଖଣ୍ଡ ଖସି ଯାଇଛି । ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପରେ ଏଏସଆଇ ଓ ବିଶେଷଜ୍ଞ ଟିମ୍‌ ଦ୍ୱାରା ଗର୍ଭଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା । ଏମିତିକି ସେହି ସମୟରେ କଳାହାଟ ଦ୍ୱାରକୁ ରୂପା ଛାଉଣୀ କରାଯାଇଥିଲା । ଏହି ସମୟରେ ଗର୍ଭଗୃହ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଏଏସଆଇ ସୁପରିଟେଡେଣ୍ଟ କହିଥିଲେ । କଳାହାଟ ଦ୍ୱାର ରୂପାଛାଉଣି ହେବା ଯୋଗୁଁ ଅଧିକ ସମୟ ନେଇଥିଲା । ଫଳରେ ଗର୍ଭଗୃହର ମରାମତି ସଠିକ୍‌ ଭାବେ ହୋଇପାରିନଥିବା କୁହାଯାଇଛି । ରତ୍ନବେଦୀରେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ବୋଧହୁଏ ସେଥିପାଇଁ ଚୂନଖଣ୍ଡ ଖସିଥିବା ସନ୍ଦେହ କରାଯାଉଛି । ଏଏସଆଇର ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦ୍ୱାରା ଏହି ଅଘଟଣର ଯାଞ୍ଚ କରାଯିବ ।
କେବଳ ଗତ ରଥଯାତ୍ରା ନୁହେଁ ପ୍ରତିବର୍ଷ ରଥଯାତ୍ରା ସମୟରେ ଗର୍ଭଗୃହ ଯାଞ୍ଚ କରାଯାଇଥାଏ । ଏସବୁ ସତ୍ତେ୍ୱ୍ୱ ରତ୍ନସିଂହାସନ ପଛପାର୍ଶ୍ୱରୁ ଲାଇମ ଚୂନ ଖଣ୍ଡ ଖସିବା ଏଏସଆଇର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇଛି । ଆଗକୁ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଏଏସ୍‌ଆଇ ଯତ୍ନବାନ ନ ହେଲେ ସେବାୟତ ସମ୍ମିଳନୀ ଆନ୍ଦୋଳନାତ୍ମକ ଚେତାବନୀ ଦେଇଛି ।

hiranchal ad1
Leave A Reply

Your email address will not be published.

9 − 1 =