ବନ୍ୟା ପରେ ପରିବା ଦର ଆକାଶ ଛୁଆଁ, ଚାଷୀ ପାଉନି ଉପଯୁକ୍ତ ମୂଲ୍ୟ

0 179

ଦଶପଲ୍ଲା : ବନ୍ୟା ପରେ ସବୁଜ ପନିପରିବାକୁ ନେଇ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି । ଅନେକ ପନିପରିବାର ଦର ୫୦ ପାର କରି ସାରିଥିବା ବେଳେ ଅନେକ କେଜି ପ୍ରତି ଶହେ ଟଙ୍କାଠାରୁ ଖୁବ୍‌ କମ ଦୂରତାରେ ରହିଛି । ଆଜି ନୟାଗଡ଼ ଓ ଦଶପଲ୍ଲା ସହରର ପରିବା ବଜାରଦର ନାହିଁ ନଥିବା ସ୍ଥିତିରେ ରହିଛି । ନୟାଗଡ଼ ,ଦଶପଲ୍ଲା, ଖଣ୍ଡପଡା ସହରରେ ଆଜି ଧଳା ବାଇଗଣ କେଜି ପ୍ରତି ୮୦ ଟଙ୍କା ରହିଥିବା ବେଳେ କଳା ବାଇଗଣ ୬୦ ଟଙ୍କା , ଦେଶୀ ପୋଟଳ ୭୦ ଟଙ୍କା , କଲିକତା ପୋଟଳ ୫୦ ଟଙ୍କା , କାଙ୍କଣ ୬୦ ଟଙ୍କା , ଦେଶୀ କାଙ୍କଣ କେଜି ୧୫୦ ଟଙ୍କା , ଝୁଲଣ କେଜି ୮୦ ଟଙ୍କା , ସାରୁ ୪୦ ଟଙ୍କା, କଖାରୁ ୩୦, ଜହ୍ନି ୫୦, ଭେଣ୍ଡି ୯୦, ଫୁଲ କୋବି ୮୦ ଟଙ୍କା, କଞ୍ଚାଲଙ୍କା ଶହେ ଟଙ୍କା ରହିଛି । ଖୁଚୁରା ବଜାରରେ ଏଭଳି ମୂଲ୍ୟ ହାଣ୍ଡିଶାଳରେ ଚଡ଼କ ପକାଇଥିବାବେଳେ ଚାଷୀ କିନ୍ତୁ ଖୁଚୁରା ମୂଲ୍ୟର ଅଧା ରେଟ ପାଉଥିବା ଜଣାଯାଇଛି । ବାଣିଗୋଚ୍ଛା,ଟାକରା, ବୁଗୁଡା ଅଞ୍ଚଳର ପରିବା ଚାଷୀମାନେ ଧଳା ବାଇଗଣ କେଜିକୁ ୪୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଏହା ବଜାର ମୂଲ୍ୟ ୮୦ ଟଙ୍କା ଛୁଇଁ ସାରିଥିବା ଜଣାଯାଇଛି । ବନ୍ୟା କାରଣରୁ ଅନେକ ସ୍ଥାନରେ ସବୁଜ ପନିପରିବା ଫସଲ ବ୍ୟାପକ କ୍ଷତି ହୋଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଫଳରେ ଖାଉଟିଙ୍କ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି । ସେହିଭଳି ସଜନା ଛୁଇଁ କେଜି ୧୨୦ ଟଙ୍କା, ଗାଜର ୮୦ ଟଙ୍କା, କାକୁଡ଼ି ୫୦, ଆଳୁ ୩୦, ପିଆଜ ୩୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି । ଗରୀବ ପରିବାରଟିଏ ପାଇଁ ଆଳୁ ଓ ପିଆଜ ଆବଶ୍ୟକ ହୋଇଥିବା ବେଳେ ତାହାର ମୁଲ୍ୟ ବୃଦ୍ଧି ଖାଉଟିଙ୍କୁ ହନ୍ତସନ୍ତ କରୁଛି । କଠିନ ପରିଶ୍ରମ ନିହାତିକରି ଚାଷ କରିଥିବା ଚାଷୀମାନେ ଏଭଳି ସମୟରେ ଭଲ ଦୁଇ ପଇସା ରୋଜଗାର କରିବାକୁ ଆଶା ରଖୁଥିବା ବେଳେ ତାଙ୍କ ଆଶାରେ ଧୂଳି ଦେବାରେ ସଫଳ ହେଉଛନ୍ତି ପରିବା ଦଲାଲ । ବାହାର ଦଲାଲମାନେ ଚାଷୀଙ୍କଠାରୁ ସବୁଜ ପନି ପରିବା ସଂଗ୍ରହ କରି ଏହାକୁ ଗୋଦାମରେ ଉଚ୍ଚା ଦରରେ ବିକ୍ରି କରିବାରେ ସଫଳ ହେଉଛନ୍ତି । ସବୁଜ ପନିପରିବା ପାଇଁ ସରକାରୀ ସ୍ତରରେ ମଣ୍ଡି ବ୍ୟବସ୍ଥା ନଥିବା କାରଣରୁ ଏଭଳି ସ୍ଥିତି ଉପୁଜୁଥିବା ବେଳେ ଅଧା ଅର୍ଥ ବାଟମାରଣା ହେଉଛି । ଖାଉଟି କିଣୁଥିବା ମୂଲ୍ୟର ଅଧା ଚାଷୀ ପାଖକୁ ଯାଉଥିବାବେଳେ, ମୁଣ୍ଡଝାଳ ତୁଣ୍ଡରେ ମାରି ପ୍ରତ୍ୟକ୍ଷରେ ଶୋଷିତ ହେଉଛି ଗରିବ ଚାଷୀ ।

hiranchal ad1
Leave A Reply

Your email address will not be published.

13 + sixteen =