ଶ୍ରୀଲୋକନାଥ ପୀଠରେ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ସମାଗମ

0 84

ପୁରୀ : ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏଥିପାଇଁ ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ହଜାର ହଜାର ବୋଲବମ୍‌ ଭକ୍ତଙ୍କ ଭିଡ଼ ଜମିଥିଲା । ପ୍ରଭୁ ଲୋକନାଥଙ୍କୁ ଜଳ ଲାଗି କରିବା ପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ କାଉଡ଼ିଆ ଭକ୍ତଙ୍କ ଭିଡ ଜମିଥିଲା । ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିଲା । ଗତକାଲି ପାଳିଆ ସେବକ ରାତି ୯ଟା ସୁଦ୍ଧା ସମସ୍ତ ନୀତିକାନ୍ତି ସାରି ପହୁଡ଼ କରିଥିଲେ । ରବିବାର ରାତି ୧୨ଟାରେ ସୋମବାରର ପାଳିଆ ସେବକ ପ୍ରବେଶ କରି ଦ୍ୱାରଫିଟା, ସକାଳ ଧୂପ ଓ ମଙ୍ଗଳ ଆଳତି ସାରିବା ପରେ ଜଳଲାଗି ଆରମ୍ଭ କରାଯାଇଥିଲା । ରାତି ପ୍ରାୟ ସାଢେ ୧୨ଟାରୁ କାଉଡ଼ିଆମାନେ ଜଳଲାଗି ଆରମ୍ଭ କରିଥିଲେ ।
ଶ୍ରୀଲୋକାନାଥ ମନ୍ଦିରକୁ ପ୍ରବେଶ କରିବା ପାଇଁ ଗୋଟିଏ ବାଟ ବ୍ୟବସ୍ଥା ହୋଇଥିବା ବେଳେ କୁଷ୍ଠାଶ୍ରମ ନିକଟରେ ଟିକେଟ କାଉଣ୍ଟର ରହିଚି । ଭକ୍ତ ଟିକେଟ କାଟି ପର୍ବତି ସାଗର ପଟେ ଥିବା ବ୍ୟାରିକେଡରେ ମନ୍ଦିରକୁ ପ୍ରବେଶ କରିଥଲେ । ଚଳିତବର୍ଷ ଭକ୍ତଙ୍କ ଜଳଲାଗି କରିବା ୨୦ ଟଙ୍କା ଟିକେଟ ଦର ରହିଛି । ଭକ୍ତମାନେ ଟିକେଟ ନେଇ ଟିକେଟ କାଉଣ୍ଟରଠାରୁ ଆରମ୍ଭହୋଇଥିବା ବ୍ୟାରିକେଡ୍‌ରେ ପ୍ରବେଶ କରି ରୋଷଘର ପଛ ପାର୍ଶ୍ୱ ଦ୍ୱାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ବ୍ୟବସ୍ଥା ହୋଇଚି । ଚଳିତବର୍ଷ ପ୍ରାୟ ୨ ହଜାର ଭକ୍ତଙ୍କ ପାଇଁ ଏହି ସେଡ ତଥା ବିଶ୍ରାମସ୍ଥଳୀ ନିର୍ମିତ ହୋଇଛି । ଭକ୍ତମାନେ ପାଣି ଢ଼ାଳ ରଖିବା ପାଇଁ ବାଉଁଶ ଭାରାର ବ୍ୟବସ୍ଥା କରାଯାଇଛି । ସେହିପରି ଭକ୍ତମାନଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି । ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ପୁଲିସ ଅଫିସର ଓ ଫୋର୍ସ ଆଦି ଶୃଙ୍ଖଳା ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ରହିଛନ୍ତି । ସେପଟେ ଆଜି ଚିତା ଲାଗି ଅମାବାସ୍ୟା ଅବସର ରେ ପ୍ରଭୁ ଲୋକନାଥ ଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ପ୍ରଭୁଙ୍କ ଉପରେ ସୁବର୍ଣ୍ଣ ଚିତା ଲାଗି ସହ ଚିତ୍ତଉ ପୀଠା ଭୋଗ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

5 × three =